ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଏକ ନାବାଳିକାର ହତ୍ୟା ଘଟଣାରେ ପୁଲିସ୍ ନିଷ୍କ୍ରିୟତା ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗ କରି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ ।

ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ନାବାଳିକାର ଅପହରଣ ହୋଇଥିଲା । ଏନେଇ ନାବାଳିକା ପରିବାର ପକ୍ଷରୁ ଜୁଲାଇ ମାସ ୧୪ ତାରିଖରେ ନୟାଗଡ଼ ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗର ଠିକ୍ ୭ ଦିନ ପରେ ସେହି ଗାଁର ଏକ ପୋଖରୀରୁ ଅଖାରେ ବନ୍ଧା ଅବସ୍ଥା ଗଳିତ ଶବ ପୁଲିସ ଉଦ୍ଧାର କରିଥିଲା । ଘଟଣା ଘଟିବା ଆଜିକୁ ୩ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟତା ଆଚରଣ ଦେଖାଉଛି ବୋଲି ପ୍ରଦେଶ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ବିଧାୟକ ବିପିନ୍ ଦାସ କହିଛନ୍ତି । ଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ୬ ଜଣିଆ ପ୍ରତିନିଧି ଦଳ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

କଂଗ୍ରେସ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଏକ ଲିଖିତ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ଅଭିଯୋଗ ପାଇବା ପରେ ଯଦି ନୟାଗଡ଼ ସଦର ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା, ହୁଏତ ନାବାଳିକାର ଜୀବନଟି ବଞ୍ଚି ପାରିଥାନ୍ତା । କିନ୍ତୁ ମରିବାର ୩ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟତା ସରକାରୀ ଦଳର ରାଜନୈତିକ ସମ୍ପୃକ୍ତିର ଥିବାର ସୂଚନା ଦେଉଛି । ପୁଲିସ ମହାନିର୍ଦ୍ଦେଶକ ଓ ଗୃହ ସଚିବ ତୁରନ୍ତ ଜବାବ ରଖିବା ସହିତ ପରିବାରବର୍ଗଙ୍କୁ ସୁରକ୍ଷା ଓ କ୍ଷତିପୂରଣ ଦେବା ପାଇଁ କମିଶନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଶତପଥି, ସପନ କୁମାର ପାଳ, ବିନ୍ଦୁଜା ଉପାଧ୍ୟାୟ, ମାହିପର୍ ନିଖତ ପ୍ରମୁଖ ଉପସ୍ଥିତ ଥିଲେ ।