ପୂର୍ବତଟ ରେଳସୀମାରେ ଗଡ଼ିବ ଆଉ ଦୁଇ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପୂର୍ବତଟ ରେଳସୀମାରେ ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ହେବ । ସେଗୁଡ଼ିକ ହେଲା କାମାକ୍ଷା – ଯଶୋବନ୍ତପୁର (୦୨୫୫୨) ସାପ୍ତାହିକ ଏସି ସ୍ୱତନ୍ତ୍ର ଟ୍ରେନ୍ ଏବଂ ସାନ୍ତ୍ରାଗାଛି-ଚେନ୍ନାଇ (୦୨୮୦୭) ସେଣ୍ଟ୍ରାଲ ଦ୍ୱି-ସାପ୍ତାହିକ ଏସି ଟ୍ରେନ୍ ଗଡ଼ିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ୧୪ ତାରିଖରୁ କାମାକ୍ଷା – ଯଶୋବନ୍ତପୁର(୦୨୫୫୨) ସାପ୍ତାହିକ ଏସି ଟ୍ରେନ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାମାକ୍ଷା ଠାରୁ ପ୍ରତି ବୁଧବାର ଅପରାହ୍ଣ ୨ଟାରେ ଛାଡ଼ି ଯଶୋବନ୍ତପୁର ଠାରେ ଶୁକ୍ରବାର ସନ୍ଧ୍ୟା ୬ଟା ୨୫ମିନିଟ୍‌ରେ ପହଞ୍ଚିବ । ଫେରିବା ଦିଗରେ, ଯଶୋବନ୍ତପୁର-କାମାକ୍ଷା (୦୨୫୫୧) ଏସି ସ୍ପେଶାଲ୍ ଆସନ୍ତା ୧୭ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତି ଶନିବାର ପୂର୍ବାହ୍ଣ ସାଢ଼େ ୮ଟାରେ ଛାଡ଼ି କାମାକ୍ଷାଠାରେ ସୋମବାର ଦିନ ପହଞ୍ଚିବ । ଏହି ଟ୍ରେନ୍‌ରେ ଗୋଟିଏ ପ୍ରଥମ ଏସି, ଚାରିଟି ଏସି-୨ ଟାୟାର, ୧୨ଟି ଏସି -୩ ଟାୟାର, ଦୁଇଟି ଗାର୍ଡ କମ୍ ଜେନେରେଟର ଭ୍ୟାନ୍ ଏବଂ ଗୋଟିଏ ପ୍ୟାଣ୍ଟ୍ରି କାର୍ ଉପଲବ୍ଧ ରହିଛି । ଟ୍ରେନ୍‌ଟି କାମାକ୍ଷା ଓ ଯଶୋବନ୍ତପୁର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଗୁଡ଼ିକରେ ରହଣି କରିବା ସହିତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏହା କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍‌, ବ୍ରହ୍ମପୁର, ବିଜୟନଗରମ୍ ଷ୍ଟେସନ ଗୁଡ଼ିକରେ ରହଣି କରିବ ।

ସେହିପରି ସାନ୍ତ୍ରାଗାଛି-ଚେନ୍ନାଇ(୦୨୮୦୭) ସେଣ୍ଟ୍ରାଲ ଦ୍ୱି-ସାପ୍ତାହିକ ଏସି ସ୍ୱତନ୍ତ୍ର ଟ୍ରେନ ଆସନ୍ତା ୧୬ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାନ୍ତ୍ରାଗାଛି ଠାରୁ ପ୍ରତି ମଙ୍ଗଳ ଓ ଶୁକ୍ରବାର ଦିନ ସନ୍ଧ୍ୟା ୭ଟା.୦୫ମିନିଟ୍‌ରେ ଛାଡି ଚେନ୍ନାଇ ଠାରେ ତା’ପରଦିନ ରାତ୍ର ୧୦ଟା ୪୫ମିନିଟ୍‌ରେ ପହଞ୍ଚିବ । ଫେରିବା ଦିଗରେ, ଚେନ୍ନାଇ ସେଣ୍ଟ୍ରାଲ-ସନ୍ତ୍ରାଗାଛି (୦୨୮୦୮) ଦ୍ୱି-ସାପ୍ତାହିକ ଏସି ସ୍ୱତନ୍ତ୍ର ଆସନ୍ତା ୧୮ ତାରିଖରୁ ଚେନ୍ନାଇ ଠାରୁ ପ୍ରତି ଗୁରୁବାର ଏବଂ ରବିବାର ପୂର୍ବାହ୍ଣ ୮ଟା ୦୫ମିନିଟ୍‌ରେ ଛାଡି ସନ୍ତ୍ରାଗାଛି ଠାରେ ତା’ପରଦିନ ପୂର୍ବା୍ନହ୍ଣ ୧୦ଟା ୩୦ମିନିଟ୍‌ରେ ପହଞ୍ଚିବ । ଏହି ଟ୍ରେନ ସାନ୍ତ୍ରାଗାଛି ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ଉଭୟ ଦିଗରୁ ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍‌, ବିଜୟନଗରମ୍‌, ବିଶାଖାପାଟଣା, ବିଜୟୱାଡା ଓ ଗୁଡ଼ୁର ଷ୍ଟେସନ ଗୁଡ଼ିକରେ ରହଣି କରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।