ଚାଲି ଚାଲି ୨ ଶ୍ରମିକଙ୍କର କଟକ ଓ ପୁରୀ ଯାତ୍ରା

ମାଲକାନଗିରି, ଏନ୍ଏନ୍ଏସ୍: ଲକଡାଉନର ସିଧାସଳଖ ପ୍ରଭାବ ଶ୍ରମିକ ଓ ଦିନ ମଜୁରିଆଙ୍କ ଉପରେ ପଡ଼ିଛି। ରାଜ୍ୟର ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟରେ ଫସି ରହିଥିବାବେଳେ ବିଭିନ୍ନ ଅଞ୍ଚଳର ହଜାରେରୁ ଊର୍ଦ୍ଧ ଶ୍ରମିକ ମାଲକାନଗିରିରେ ଫଶି ରହିଛନ୍ତି। କଟକର ତାରବଣା ଗାଁର ବିଘ୍ନେଶ୍ୱର ଦାଶ ଓ ପୁରୀ ସାନମଠର ରାଜୁ ଭୋଇ ଭୁବନେଶ୍ୱରର ବିଜୟ ଲକ୍ଷ୍ମୀ ନାମକ ଏକ ମୂର୍ତ୍ତିକା ପରୀକ୍ଷଣ କମ୍ପାନିରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଏମାନେ ମାଲକାନଗିରିର କାଲିମେଳା କନ୍ୟାଶ୍ରମ ନିକଟରେ ନିର୍ମାଣ ହେବାକୁ ଥିବା ଏକ ପୋଲର ମୂର୍ତ୍ତିକା ପରୀକ୍ଷଣ ନିମନ୍ତେ ଆସି ଲକଡାଉନ ଯୋଗୁ ଏଠାରେ ଫସି ଯାଇଥିଲେ। କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ବାଧ୍ୟହୋଇ ଏହି ୨ ଜଣ ଚାଲି ଚାଲି କଟକ ଓ ପୁରୀ ଅଭିମୁଖେ ବାହାରିଛନ୍ତି। କାଲିମେଳାରୁ କଟକ ୭୦୦ କିମି ଦୂର ହୋଇଥିବାରୁ ଏମାନେ ଦୈନିକ ୩୦ ରୁ ୪୦ କିମି ପାଦରେ ଚାଲି ଚାଲି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଲକଡାଉନ ଆଉ ୧୪ ଦିନ ବୃଦ୍ଧି ପାଇଥିବାରୁ ଏମାନେ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।