ଖଇରା ବ୍ଲକରେ ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ ଜିଲ୍ଲା By Nitidin Last updated May 3, 2020 Share ଖଇରା,ଏନ୍ଏନ୍ଏସ୍: ଆଜି ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲାରେ କରୋନା ପଜିଟିଭ ବାହାରିଥିବା ବ୍ୟକ୍ତି ଜଣକ ଖଇରା ବ୍ଲକର ବୋଲି ଜଣାପଡିଛି। ସୂଚନାରୁ ଜଣାଯାଏ ଯେ ଖଇରା ବ୍ଲକରେ ବାହାରିଥିବା କରୋନା ପଜିଟିଭ ବ୍ୟକ୍ତି ଜଣକ ରଟିଣା ପଞ୍ଚାୟତ ମୁଗୁଡିହା ଗ୍ରାମର ୩୪ବର୍ଷୀୟ ବ୍ୟକ୍ତି ଅଟନ୍ତି। ଉକ୍ତ ବ୍ୟକ୍ତି ଜଣକ କୋଲକାତାର ବାବୁବଜାର ଅଞ୍ଚଳରେ ରହି ଏକ ଫାଷ୍ଟଫୁଡ ଦୋକାନ କରିଥିଲେ। ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି ହୋଇଥିବାରୁ ସେ ଗତ ୨୧ ତାରିଖରେ ଏକ ଆଳୁ ବୋଝେଇ ଟ୍ରକ ସହାଯ୍ୟରେ କୋଲକାତାରୁ ବାଲେଶ୍ଵର ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ତାଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କ ବାଇକ ଯୋଗେ ଘରକୁ ଯାଇଥିଲେ। ବ୍ୟକ୍ତି ଜଣକ ଘରକୁ ଆସିଥିବା ଖବରପାଇ ସ୍ଥାନୀୟ ସରପଞ୍ଚ ବ୍ୟକ୍ତି ଜଣକୁ ରଟିଣା ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିଲେ। ଗତ ୨୮ ତାରିଖରେ ଉକ୍ତ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟକ୍ତି ଜଣଙ୍କର ସ୍ୱାବ ନମୂନା ସଂଗ୍ରହ କରାଯାଇଥିଲା। ଆଜି ରିପୋର୍ଟ ଆସିବାପରେ ଉକ୍ତ ଯୁବକଙ୍କର କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ସୂଚନାପାଇ ବାଲେଶ୍ଵର ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଡିପିଏମୟୁ ଅନୀଲ କୁମାର ମହାନ୍ତି, ତହସିଲଦାର ପ୍ରଦୀପ ସାହୁ, ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ଅତିରିକ୍ତ ତହସିଲଦାର ବିଭାସରଞ୍ଜନ ପାଣିଗ୍ରାହୀ, ଆଇଆଇସି ସୁବ୍ରତ କୁମାର ବେହେରା, ଏସଆଇ ସୁଜାତା ମଲ୍ଲିକ, ସ୍ଥାନୀୟ ସରପଞ୍ଚ ସତ୍ୟାନନ୍ଦ ଦାସ, ସ୍ଥାନୀୟ ସମିତିସଭ୍ୟା ପ୍ରତିନିଧି ଚିନ୍ତାମଣି ଦାସଙ୍କ ସମେତ ଖାଇରା ମେଡିକାଲ ଟିମ ଏବଂ ବାଲେଶ୍ଵର ମେଡିକାଲ ଟିମ ରଟିଣା କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଅଶ୍ୱନୀ ମେଡିକାଲକୁ ପଠାଇବା ସହିତ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛନ୍ତି। ଏଥିସହିତ ଖଇରା ଦମକଳବାହିନୀ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରିଥିବା ଜଣାପଡ଼ିଛି। Share