ହୀରାକୁଦର ବନ୍ଦ ହେଲା ଦୁଇଟି ଗେଟ୍

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ବନ୍ୟାଜଳ ନିଷ୍କାସନ କରିବାପାଇଁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଗତ ଜୁଲାଇ ୧୧ତାରିଖରେ ଦୁଇଟି ସ୍ଲୁଇସ୍ ଗେଟ୍ ଖୋଲିଥିଲେ। ତେବେ ମହାନଦୀର ଉପରମୁଣ୍ଡରେ ଅର୍ଥାତ୍ ଛତିଶଗଡ଼ ପଟୁ ଗତ ତିନି ଦିନ ହେବ କମ୍ ପାଣି ଆସୁଥିବାରୁ ଖୋଲାଥିବା ଦୁଇଟି ଗେଟ୍‌କୁ ପୁଣିଥରେ ବନ୍ଦ କରିଦିଆଯାଇଛି। ଶୁକ୍ରବାର ସକାଳେ ପ୍ରଥମେ ଗୋଟିଏ ଗେଟ୍ ବନ୍ଦ କରାଯାଇଥିବା ବେଳେ ଶନିବାର ସକାଳେ ଆଉ ଗୋଟିଏ ବନ୍ଦ କରାଯାଇଛି।

ଶନିବାର ସକାଳ ୯ଟାରେ ଡ୍ୟାମ୍‌ର ଜଳସ୍ତର ୬୦୬.୨୨ ଫୁଟ ରେକର୍ଡ କରାଯାଇଥିଲା। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ୍। ଅନ୍ୟପଟେ ବିଦ୍ୟୁତ ଉତ୍ପାଦନ ତଥା କୃଷିକାର୍ଯ୍ୟ ପାଇଁ ଡ୍ୟାମ୍‌ରୁ ଜଳଯୋଗାଣ କରିବାକୁ ହେଲେ ଅତିକମ୍‌ରେ ୫୯୦ ଫୁଟ୍ ପର୍ଯ୍ୟନ୍ତ ଜଳସ୍ତର ରହିବା ଦରକାର। ୫୯୫ ଫୁଟ୍ ତଳକୁ ଜଳସ୍ତର ଖସିଲେ ହୀରାକୁଦରୁ ଶିଳ୍ପାଞ୍ଚଳଗୁଡ଼ିକୁ ପାଣି ଯୋଗାଇବା ସମ୍ଭବପର ହୁଏନି।