ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଭୂସ୍ଖଳନ: ୧୧ ଲୋକଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ,ଏଜେନ୍ସି: ଆଜି ଭୋରରୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଜଳ ଯୋଗୁଁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି। ରେଳଧାରଣା ବୁଡ଼ିଯାଇଥିବା ବେଳେ ତଳିଆ ଅଞ୍ଚଳରେ ଲୋକଙ୍କର ଘରକୁ ପାଣି ପ୍ରବେଶ କରିଛି। ପ୍ରବଳ ବର୍ଷା ଯୋଗୁଁ ଚେମ୍ବୁରର ୱାନୀ ନାକା ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଫଳରେ ୪ରୁ ୫ଟି ଘର ଭୁଶୁଡ଼ି ପଡ଼ିଛି। ଅନେକ ଲୋକ ଦବି ଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ସୂଚନା ପାଇଁ ଏନଡିଆରଏଫ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାରି ମଧ୍ୟରେ ୧୧ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ଜଣେ ମହିଳାଙ୍କ ମୃତଦେହ ମଧ୍ୟ ଅଛି। କୁହାଯାଉଛି ଯେ, ଆହୁରି ୬ରୁ ୮ଜଣ ଚାପି ହୋଇଯାଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିପାରେ।

ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନର କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଉତ୍ତରପ୍ରଦେଶର ସମତଳ ଅଞ୍ଚଳରେ ଶନିବାର ପ୍ରବଳ ଗରମ ଅନୁଭୂତ ହୋଇଛି। ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜସ୍ଥାନର କିଛି ଅଞ୍ଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି।

ମୁମ୍ବାଇର ସିୟୋନ ଅଞ୍ଚଳ ଏବଂ ଗାନ୍ଧୀ ମାର୍କେଟ ଜଳାର୍ଣ୍ଣବ ହୋଇଛି। ସଡ଼କରେ ପାଣି ଭର୍ତ୍ତି ହୋଇଥିବା ବେଳେ ରେଳଧାରଣାରେ ମଧ୍ୟ ସମାନ ଅବସ୍ଥା ଉପୁଜିଛି । ପରିସ୍ଥିତିର ମୁକାବିଲା ପାଇଁ ବିଏମସି (ମୁମ୍ବାଇ ମହାନଗର ନିଗମ)ର କର୍ମଚାରୀ ମୁତୟନ ଅଛନ୍ତି। ବନ୍ୟା ବିପଦ ବଢ଼ିପାରେ ବୋଲି ସେମାନେ ଲୋକଙ୍କୁ ସଚେତନ କରାଉଛନ୍ତି।

ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ରାତିରେ ପ୍ରବଳ ବର୍ଷା ହୋଇଛି। ମୁମ୍ବାଇ ବ୍ୟତୀତ ଥାଣେ, ରାୟଗଡ଼, ନଭି ମୁମ୍ବାଇ ଓ ପାଲଘରରେ ଶନିବାର ରାତି ସାରା ମୁସଲଧାରା ବର୍ଷା ହୋଇଛି। ମୁମ୍ବାଇର ସିୟୋନ, ଚେମ୍ବୁର, କୁର୍ଲା, ଚୁନ୍ନାଭଟ୍ଟୀ, ଭାଡୁପ, ଅନ୍ଧେରୀ, ମଲାଡ, ବୋରୀୱଲୀ ଓ କାନ୍ଦିବଲୀରେ ଜଳାର୍ଣ୍ଣବ ଦେଖାଯାଇଛି।