କେନ୍ଦୁଝର ହାତୀ ମୃତ୍ୟୁ ଘଟଣାରେ ୨ ବନବିଭାଗ କର୍ମଚାରୀ ନିଲମ୍ବିତ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଞ୍ଚଳ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀଙ୍କ ମୃତ୍ୟୁ ଘଟଣାରେ ୨ ଜଣ ବନବିଭାଗ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଏଥିରେ ଯୋଡ଼ା ସେକ୍ସନର ଫରେଷ୍ଟର ପିଅନ ନାଏକ, ଜୁରୁଡ଼ି ବିଟର ଗାର୍ଡ ଦୋଳ ଗୋବିନ୍ଦ ଦେଓଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ଶନିବାର ରାତିରେ ଯୋଡ଼ା ସେକ୍ସନର ବୈତରଣୀ(ଖ) ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାରେ ୨ହାତୀଙ୍କୁ ବିଦ୍ୟୁତ୍ ତାର ବିଛାଇ ହତ୍ୟା କରାଯିବା ସହ ଦନ୍ତା ହାତୀର ଦାନ୍ତ ନେଇଯାଇଥିବା ଅଭିଯୋଗ କାରାଯାଇଥିଲା। ଏହି ମାମଲାରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

କେନ୍ଦୁଝରରେ ଗତ ୧୦ ବର୍ଷ ମଧ୍ୟରେ ୫୧ଟି ହାତୀ ମୃତ୍ୟୁ ବରଣ କରିଥିବାବେଳେ ଏଇ ୩ ବର୍ଷରେ ୧୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ବିଶେଷ କରି ଏବେ କେନ୍ଦୁଝର ଜଙ୍ଗଲରେ ବାହାର ରାଜ୍ୟର ଶିକାରୀ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଗତ ୨୦୧୭ରେ ଜଂଘିରା ଜଙ୍ଗଲରେ ଅରୁଣାଚଳପ୍ରଦେଶର ୨ଜଣ ଶିକାରୀ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ। ସେତେବେଳେ ସେମାନଙ୍କ ନିକଟରୁ ହାତୀ ଶିକାରରେ ବ୍ୟବହୃତ ବନ୍ଧୁକ ସହ ବହୁ ସାମଗ୍ରୀ ଜବତ ହୋଇଥିଲା। ଏହା ସତ୍ତ୍ୱେ ବନବିଭାଗ ଉଚ୍ଚିତ ପଦକ୍ଷେପ ନନେବାରୁ ଏପରି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି।