ହାଇୱା ଧକ୍କାରେ ୨ମୃତ, ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ଗାଡ଼ି

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର ମହିଳା ମହାବିଦ୍ୟାଳୟ ନିକଟରେ ଏକ ହାଇୱା ଧକ୍କାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପିଣ୍ଟୁ ଖରା(୨୦) ଓ ରାହୁଳ ପଟ୍ଟନାୟକ(୧୯)। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜାଳି ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ସୋମବାର ସଂନ୍ଧ୍ୟା ୭ଟା ସମୟରେ ଏକ ହାଇୱା ୨୬ନଂ ଜାତୀୟ ରାଜପଥ ଜୟପୁରର ଗାନ୍ଧି ଛକରୁ ବସଷ୍ଟାଣ୍ଡ୍ ଆଡ଼କୁ ଯାଉଥିବାବେଳେ ମହିଳା ମହାବିଦ୍ୟାଳୟ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ହାଇୱା ଡ୍ରାଇଭର ଓ ହେଲ୍ପରକୁ ପ୍ରବଳ ମାଡ଼ ମାରିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପୁଲିସ୍ ପହଞ୍ଚି ଲୋକଙ୍କ କବଳରୁ ଡ୍ରାଇଭର ଓ ହେଲ୍ପରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ହେଲ୍ପରର ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡ଼ି ସମ୍ପୂର୍ଣ ପୋଡ଼ିି ଯାଇଥିବା ଦେଖିବାକୁ ମିଳିଛି। ଗାଡ଼ି ମାଲିକକୁ ଗିରଫ କରି ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରି ଲୋକେ ଭିଜିଲାନସ୍ ଅଫିସ୍ ସମ୍ମୁଖସ୍ଥ ରାଜପଥକୁ ଅବରୋଧ କରିଥିଲେ। ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।