ମୈତ୍ରୀ ସେତୁ ଉଦଘାଟିତ : ଏବେ ତ୍ରିପୁରାରୁ-ବାଙ୍ଗଲାଦେଶ ଯିବାକୁ ଫିଟିଲା ସୁବିଧା ବାଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଭାରତ-ବାଙ୍ଗଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିଛନ୍ତି। ଏହି ସେତୁ ନିର୍ମାଣ ହେବା ପରେ ତ୍ରିପୁରାରୁ ବାଙ୍ଗଲାଦେଶ ଯିବାକୁ ସୁବିଧା ହେବ। ଏତଦବ୍ୟତୀତ ମୋଦୀ ତ୍ରିପୁରାର ଅନେକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ମୈତ୍ରୀ ସେତୁ ଫେନୀ ନଦୀରେ ନିର୍ମାଣ କରାଯାଇଛି।

ମୋଦୀ କହିଛନ୍ତି ଯେ, ମୈତ୍ରୀ ସେତୁ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବଢ଼ୁଥିବା ଦ୍ୱିପାକ୍ଷିକ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରତୀକ। ଏବେ ତ୍ରିପୁରାର ବିକାଶ ଆହୁରି ଦ୍ରୁତ ଗତିରେ ହେବ। ଯେଉଁ ତ୍ରିପୁରାରେ ଦିନେ ଉଦ୍ୟୋଗ କ୍ଷେତ୍ରରେ ତାଲା ଲାଗିବାକୁ ଯାଉଥିଲା ଆଜି ସେଠାରେ ନୂଆ ଉଦ୍ୟୋଗ ଓ ନିବେଶ ପାଇଁ ଜାଗା ପ୍ରସ୍ତୁତ ହେଉଛି। ଗତ ୬ ବର୍ଷରେ କେନ୍ଦ୍ର ତରଫରୁ ତ୍ରିପୁରାକୁ ମିଳୁଥିବା ରାଶି ଖୁବ୍ ବୃଦ୍ଧି ପାଇଛି। ୨୦୦୯ରୁ ୨୦୧୪ ମଧ୍ୟରେ କେନ୍ଦ୍ର ସରକାରଙ୍କଠୁ ତ୍ରିପୁରାକୁ କେନ୍ଦ୍ରୀୟ ବିକାଶ ପରିଯୋଜନା ଲାଗି ୩୫୦୦ କୋଟି ଟଙ୍କାର ସାହାଯ୍ୟ ମିଳିଥିଲା। ଅନ୍ୟପଟେ ୨୦୧୪ରୁ ୧୯ ମଧ୍ୟରେ ୧୨ ହଜାର କୋଟି ଟଙ୍କା ଦିଆଯାଇଛି।