ଅନୈତିକ ସମ୍ପର୍କ ହେଲା କାଳ, ଭଙ୍ଗା ସମ୍ପର୍କ ସ୍ତ୍ରୀ’ର କୁରାଢ଼ୀ ଚୋଟରେ ଟଳିଗଲା ପ୍ରେମିକ ସ୍ୱାମୀ ଜିଲ୍ଲାରାଜ୍ୟ By Nitidin On Mar 16, 2022 Share ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଛତାବର ଗାଁ’ ନିକଟସ୍ଥ ବଡ଼ଖୋଳ ଜଙ୍ଗଲ ମଧ୍ୟରୁ ଆଜି ସକାଳେ ଜଣେ ଅଚିହ୍ନା ଯୁବକର ଗଳିତ ମୃତ ଦେହ ଉଦ୍ଧାର ପରେ ଏହା ଏକ ହତ୍ୟା କାଣ୍ଡ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ଛତାବର ଅଞ୍ଚଳରେ କାଳୁ ନାମକ ଜଣେ ଠିକାଦାର ଅଧୀନରେ ପଶ୍ଚିମବଙ୍ଗ ମୁର୍ଶୀଦାବାଦ ଜିଲ୍ଲାର ଦିଲଦାର ସେଖ୍ ନାମକ ଜଣେ ରାଜମିସ୍ତ୍ରୀ ଓ ତାର ଅନ୍ୟ କେତେକ ଭାଇ ଆସି କାମ କରୁଥିଲା। ଛତାବର ଅଞ୍ଚଳରେ ରହିବା ସମୟରେ ଦିଲଦାର ଉକ୍ତ ଗ୍ରାମର ରୁବି (ରେବତୀ ମହାପାତ୍ର) ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ରୁବିକୁ ନେଇ ପଳାଇ ଯାଇଥିଲେ। କିଛି ମାସ ପରେ ଉଭୟ ବିବାହ କରିବା ସହ ସେମାନଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ତେବେ ଦିଲଦାର ଓ ରୁବିଙ୍କ ସମ୍ପର୍କରେ ଧୀରେ ଧୀରେ କୌଣସି କାରଣକୁ ନେଇ ମତଭେଦ ବଢ଼ି ଚାଲିବାରୁ ରୁବି ଦିଲଦାର ସହ ସମ୍ପର୍କ ତୁଟାଇ ଛତିଶଗଡ଼ ଅଞ୍ଚଳର ଅନ୍ୟ ଜଣେ ଯୁବକ ସହ ବିବାହ କରି ଥିଲେ ଓ ସେମାନଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା। ତେବେ ରୁବି ନିଜ ପୈତୃକ ଘର ଛତାବରରେ ରହୁଥିବାବେଳେ ତାର ପ୍ରଥମ ସ୍ୱାମୀ ଦିଲଦାର ମଧ୍ୟ ସେହି ଗ୍ରାମରେ ରହୁଥିଲା। ତେବେ ଦିଲଦାର ବିଭିନ୍ନ ସମୟରେ ରୁବିକୁ ବିଭିନ୍ନ ଆଳରେ ହଇରାଣ ହରକତ କରିବା ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏଥିରେ ରୁବି ମାନସିକ ଭାବେ ନିର୍ଯ୍ୟାତିତ ହୋଇ ଦିଲଦାରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ମନେ ମନେ ଯୋଜନା କରିଥିଲା। ଯୋଜନା ମୁତାବକ ଗତ ଗୁରୁବାର ଦିନ ରୁବି ଦିଲଦାରକୁ ଗାଁ ନିକଟସ୍ଥ ବଡ଼ଖୋଲ ଜଙ୍ଗଲରେ ଅନୈତିକ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଫୋନ ଯୋଗେ ଡାକିଥିଲା। ରୁବିର ଡାକରାରେ ଦିଲଦାର ନିକଟସ୍ଥ ନୂଆଗାଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାଇକ ନେଇ ଉକ୍ତ ଜଙ୍ଗଲ ମଧ୍ୟକୁ ଯାଇଥିଲା। ସେଠାରେ ପୂର୍ବରୁ ପହଞ୍ଚି ଥିବା ରୁବି ଓ ଦିଲଦାର ମଦ୍ୟ ପାନ କରିବା ପରେ ଅନୈତିକ ସମ୍ପର୍କ ସ୍ଥାପନ ଆଳରେ ରୁବି ସାଙ୍ଗରେ ନେଇ ଯାଇଥିବା ଏକ କୁରାଢ଼ୀ ସାହାଯ୍ୟରେ ଦିଲଦାରର ବେକରେ ଚୋଟ ମାରିଥିଲା। ନିଶାସକ୍ତ ଦିଲଦାର କିଛି ବୁଝିବା ପୂର୍ବରୁ ସେଠାରେ ଟଳି ପଡିଥିଲା। ହତ୍ୟା କାଣ୍ଡ ପରେ ରୁବି ନିଜ ଘରକୁ ଫେରି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲା। ସେହିପରି ମୃତ ଦିଲଦାରର ମୋବାଇଲ ଓ ପର୍ସକୁ ଗାଁ ପୋଖରିରେ ଫିଙ୍ଗି ଦେଇ ଥିବା ବେଳେ ହତ୍ୟା କାଣ୍ଡରେ ବ୍ୟବହୃତ କୁରାଢ଼ିକୁ ଘରକୁ ନେଇ ଆସିଥିଲା। ଘଟଣାର ୬ ଦିନ ପର୍ଯ୍ୟନ୍ତ କୌଣସି ସୁରାକ କେହି ପାଇ ପାରିନଥିବା ବେଳେ ଆଜି ଜଙ୍ଗଲରେ ଅଜଣା ବ୍ୟକ୍ତିର ଗଳିତ ମୃତ ଦେହ ଦୁର୍ଗନ୍ଧ ଯୋଗୁଁ ମହୁଲ ଗୋଟାଇବାକୁ ଯାଇଥିବା କେତେକ ଗ୍ରାମବାସୀ ଏନେଇ ରିଆମାଳ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ଆଧାରରେ ପ୍ରଥମେ ପୁଲିସ ଏକ ୟୁଡି ମାମଲା ରୁଜୁ କରି ଅଞ୍ଚଳର ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ଖୋଳତାଡ଼ କରିଥିଲେ। ଏହି ସମୟରେ ଦିଲଦାର ଗତ ୬ ଦିନରୁ ନିଖୋଜ ଥିବା ଦିଲଦାରଙ୍କ ଭାଇମାନେ ପ୍ରକାଶ କରିବା ସହ ମୃତ ଦେହ ଦିଲଦାରଙ୍କ ବୋଲି ଚି଼ହ୍ନଟ କରିଥିଲେ। ଏଥିସହ ମୃତକ ଦିଲଦାରଙ୍କ ଭାଇ ଆକାଶ ଶେଖଙ୍କ ଅଭିଯୋଗ ଆଧାରରେ ରିଆମାଳ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ରିଆମାଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ରୁବିକୁ ଅଟକ ରଖି ପଚରାଉଚରା କରିଥିଲା। ପରେ ରୁବି ନିଜେ ହତ୍ୟା କରିଥିବା ସ୍ୱୀକାର କରିବା ପରେ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ି ଓ ପୋଖରି ମଧ୍ୟରୁ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରି ଜବତ କରିଛି ପୁଲିସ। Share