କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରଚଳନ ହେବ ୨ଟି ବୀମା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ୨ଟି ବୀମା ପ୍ରଚଳନ କରିବାକୁ ଭାରତୀୟ ବୀମା ନିୟାମକ ଉନ୍ନୟନ ଆଇଆରଡିଏଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୦ରୁ ସମସ୍ତ ବୀମା କମ୍ପାନୀ ‘କରୋନା କବଚ’ ଓ ‘କରୋନା ରକ୍ଷକ’ ନାମରେ ୨ଟି ବୀମା ପ୍ରଚଳନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାକୁ ପରିଶୋଧ ସୁବିଧା ଯୁକ୍ତ ବୀମା ଭାବେ ପ୍ରଚଳନ କରାଯିବ। କେବଳ କରୋନା ରୋଗ ପାଇଁ ଏହି ବୀମା ଲାଗୁ ହେବ।

‘କରୋନା କବଚ’ ବୀମା ଦ୍ୱାରା ରୋଗୀ ପ୍ରଥମେ ଖର୍ଚ୍ଚ କରିବେ ଓ ପରେ ବୀମା କମ୍ପାନୀଠାରୁ ଏହି ଟଙ୍କା ପାଇପାରିବେ। ସେହିପରି କରୋନା ଡାଇଗ୍ନୋସିସ୍ ପାଇଁ ‘କରୋନା ରକ୍ଷକ’ ବୀମା ପ୍ରଚଳନ ହେବ। ଏହି ଦୁଇଟି ବୀମା ପାଇଁ ସାରା ଦେଶରେ ଗୋଟିଏ ପ୍ରକାର ପ୍ରିମିୟମ ରହିବ। ସେହିପରି ‘କରୋନା କବଚ’ ବୀମାରେ ସମ୍ ଆସ୍ୟୁରାନ୍ସ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ। ‘କରୋନା ରକ୍ଷକ’ ବୀମାରେ ସମ୍ ଆସ୍ୟୁରାନ୍ସ ୫୦ ହଜାରରୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ।

ତେବେ ‘କରୋନା କବଚ’ ବୀମା ନେଲେ ହସ୍ପିଟାଲରେ ଆଡମିସନ ହେବାଠାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚର ପରିଶୋଧ ହେବ। ଏଥିରେ ରୁମ୍ ଚାର୍ଜ, ବୋର୍ଡିଂ ଚାର୍ଜ, ପିପିଇ କିଟ୍, ଗ୍ଲୋବ୍‌ସ, ମାସ୍କ ପ୍ରଭୃତି ଖର୍ଚ୍ଚ ବହନ କରାଯିବ। ସେହିପରି ଏହି ୨ଟି ବୀମା କରିବା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଓ ସର୍ବାଧିକ ବୟସ ସୀମା ୬୫ ବର୍ଷ ରଖାଯାଇଛି।