ଆସାମରେ ବନ୍ୟା: ୧୦ ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ମୌସୁମୀ ସକ୍ରିୟ ହୋଇଥିବା ବେଳେ ଅନେକ ରାଜ୍ୟରେ ବର୍ଷା ହେଉଛି। ଏନେଇ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଛି। ଫଳରେ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଆସାମର ୨୧ଟି ଜିଲ୍ଲା ପ୍ରଭାବିତ ହୋଇଥିବା ଦେଖାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ)ର ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ଆସାମର ପାଖାପାଖି ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି। ଏ ପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଛି।

ଏଏସଡିଏମଏ ପକ୍ଷରୁ କୁହାଯାଇଛି ଯେ ଧମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଉଦଲଗୁରୀ, ଡାରଙ୍ଗ, ନାଲବାରୀ, ବାରପେଟା, ବଙ୍ଗାଇଗାଓଁ, କୋକ୍ରାଜହର, ଧୁବ୍ରି, ଦକ୍ଷିଣ ସଲମାରା, ଗୋଲପାରା, କାମ୍ରୁପ, ମୋରିଗାଓଁ, ହୋଜାଇ, ନାଗାଓଁ, ନାଗାଲନ, ନାଉଗାନୱା, ମଜୁଲି, ସିଭାସାଗର ଓ ଅଙ୍ଗଲଙ୍ଗ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ପାଞ୍ଚ ଜିଲ୍ଲାରୁ ୯,୩୦୩ ଲୋକଙ୍କୁ ଉଦ୍ଧାର କରାଯାଇଛି।

ବନ୍ୟାରେ ୨୦୭୧ଟି ଗ୍ରାମ ପ୍ରଭାବିତ ହୋଇଛି ଏବଂ ୬୮ ହଜାର ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଛି। କର୍ତ୍ତୃପକ୍ଷଙ୍କ ତରଫରୁ ୧୨ ଟି ଜିଲ୍ଲାରେ ୧୯୩ଟି ରିଲିଫ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ୨୭ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଗୃହରେ ରଖାଯାଇଛି। ବ୍ରହ୍ମପୁତ୍ର ନଦୀ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି।