ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ଭୟଙ୍କର ହେଉଛି କରୋନା ଭୂତାଣୁ ସଂକ୍ରମଣ। ଓଡ଼ିଶାରେ ଆଜି ପୁଣି ୨୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨୧୪ ଜଣ ସଂଗରୋଧ କେନ୍ଦ୍ରର ଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର। ସେହିପରି ପଶ୍ଚିମବଙ୍ଗଳାରୁ ଅମ୍ଫନ ଡ୍ୟୁଟି କରି ଫେରିଥିବା ୨ ଜଣ ଏନଡିଆରଏଫ ଓ ଓଡ୍ରାଫ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।
ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୯୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁରରୁ ୪୦, ଖୋର୍ଦ୍ଧାରୁ ୨୮, ବରଗଡ଼ରୁ ୧୦, ଜଗତସିଂହପୁରରୁ ୯, କେନ୍ଦ୍ରାପଡ଼ାରୁ ୮, କଟକ, ନବରଙ୍ଗପୁର, ଗଜପତି ଓ କେନ୍ଦୁଝରରୁ ୭ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୬, ମୟୂରଭଞ୍ଜରୁ ୫, ଢେଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ବାଲେଶ୍ଵର ଓ ଭଦ୍ରକରୁ ୨ ଜଣ ଲେଖାଏଁ ଓ ଝାରସୁଗୁଡ଼ା, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮୬ ଜଣ ଚିକିତ୍ସାଧୀନ ଥିବାବେଳେ ୪ ହଜାର ୭୪୩ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି।