ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡର ଲଗାତାର ଚଢ଼ଉ ପରେ କିଛି ଦିନ ଧରି ଦେବଗଡ଼ ଜିଲ୍ଲାରେ ଗଞ୍ଜେଇ ମାଫିଆ ନିଷ୍କ୍ରିୟ ହୋଇ ପଡ଼ିଥିବା ବେଳେ ପୁଣି ଥରେ ବେଆଇନ ବେପାର ବଜାରକୁ ଆରମ୍ଭ କରିବା ଯୋଜନା କରିଛନ୍ତି। ତେବେ ସ୍ପେଶାଲ ସ୍କ୍ୱାର୍ଡ ଓ ଥାନା ପୁଲିସର ମିଳିତ ଚଢ଼ଉରେ ପୁଣି ଥରେ ପୁଲିସ ପଞ୍ଝାରେ ଧରାପଡିଛନ୍ତି ୩ ବେଆଇନ ଗଞ୍ଜେଇ ବେପାରୀ।
ମିଳିଥିବା ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନାଞ୍ଚଳ ଦେଇ ଗଞ୍ଜେଇ ଚାଲାଣ ହେବା ସୂଚନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ କୁଣ୍ଢେଇଗୋଳା ଥାନା ଅଧିକାରୀ ସରୋଜ କୁମାର ସେଠୀ ସ୍ପେଶାଲ ସ୍କ୍ୱାର୍ଡ ଟିମ ସହ ଆଉଁଳି ଛକ ନିକଟରେ ଛକିଥିବା ବେଳେ ଅନଗୁଳ ଜିଲ୍ଲା ହଣ୍ଡପ୍ପା ଥାନା ଅନ୍ତର୍ଗତ ସର୍ଗିପାଲୀ ଅଞ୍ଚଳରୁ ଖମାର ପଟକୁ ଏକ ଆକ୍ଟିଭା ସ୍କୁଟି ଯୋଗେ ଛେଣ୍ଡିପଦା ଥାନା ଖମାର ଗ୍ରାମର ରାକେଶ ସାହୁ, କିଶୋରନଗର ଥାନା ବାମୁର ଗ୍ରାମର ତୀର୍ଥବାସୀ ନନ୍ଦ ଓ ହଣ୍ଡପ୍ପା ଥାନା ମୁଦୁଲିମୁଣ୍ଡା ଗ୍ରାମର ରାଜେନ୍ଦ୍ର ସାହୁ ଏକ ବସ୍ତାରେ ଗଂଜେଇ ନେଇ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ଗଞ୍ଜେଇ ବାହାରିବା ପରେ ପୁଲିସ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଳରେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ। ଓଜନ ପରେ ଜବତ ଗଞ୍ଜେଇ ୨୨ କେଜି ଥିବା ଜଣାପଡିଛି। ଆସନ୍ତା କାଲି ପୁଲିସ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ଏସପି ରାଜକିଶୋର ପାଇକରାୟ ପ୍ରକାଶ କରିଛନ୍ତି।