ରଣ୍‌ଜୀ ଟ୍ରଫି: ମୁମ୍ବାଇ, ବିହାର, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିଜୟୀ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ରଣ୍‌ଜୀ ଟ୍ରଫିର ପ୍ରଥମ ରାଉଣ୍ଡ୍ ମ୍ୟାଚ୍ ଚାଲିଥିବା ବେଳେ ତୃତୀୟ ଦିନରେ ମୁମ୍ବାଇ, ବିହାର, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିଜୟୀ ହୋଇଛନ୍ତି । ଆନ୍ଧ୍ର ବିପକ୍ଷ ମ୍ୟାଚ୍‌ରେ ୪୧ ଥରର ଚାମ୍ପିଅନ୍ ମୁମ୍ବାଇ ପକ୍ଷରୁ ତନୁଷ କୋଟିୟାନ୍ ୬ଟି ୱିକେଟ୍ ନେଇଥିବା ବେଳେ ଅର୍‌ମାନ୍ ଜାଫର୍ ୧୩୩ ରନ୍ କରିଥିଲେ । ସେହିପରି ବିହାର ଅରୁଣାଚଳ ପ୍ରଦେଶ ବିପକ୍ଷରେ ଏକ ଇନିଂସ ଓ ୨୨୧ ରନ୍‌ରେ ବିଜୟୀ ହୋଇଛି । ଅଧିରାଜ ଜୋହରି ଓ ସଚିନ୍ କୁମାରଙ୍କ ଶତକ ବଳରେ ବିହାର ପ୍ରଥମ ଇନିଂସରେ ୩୧୩ ରନ୍‌ର ଅଗ୍ରଣୀ ପାଇଥିଲା ।

ନବମ ଆବୋ ୫ଟି ୱିକେଟ୍ ନେଇ ଅରୁଣାଚଳ ପ୍ରଦେଶକୁ ୨୯.୪ ଓଭର୍‌ରେ ମାତ୍ର ୮୪ ରନ୍‌ରେ ଅଲ୍‌ଆଉଟ୍ କରିଦେଇଥିଲେ । ଏହାଛଡ଼ା ମଧ୍ୟପ୍ରଦେଶ ଜମ୍ମୁ-କଶ୍ମୀର ବିପକ୍ଷରେ ଏକ ଇନିଂସ ଓ ୧୭ ରନ୍‌ରେ ବିଜୟୀ ହୋଇଛି । ଘରୋଇ ଜମ୍ମୁ-କଶ୍ମୀର ପ୍ରଥମ ଇନିଂସରେ ୯୮ ରନ୍‌ରେ ଅଲ୍‌ଆଉଟ୍ ହେବା ପରେ ଦ୍ୱିତୀୟ ଇନିଂସରେ ୧୯୩ ରନ୍ କରିଥିଲା । ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ୩୦୮ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ଆହୁରି ଛତିଶଗଡ଼ ପଣ୍ଡିଚେରୀ ବିପକ୍ଷ ମ୍ୟାଚ୍‌ରେ ୧୩୨ ରନ୍‌ରେ ବିଜୟୀ ହୋଇଛି । ୩୦୯ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ପଣ୍ଡିଚେରୀ ୬୫.୩ ଓଭର୍‌ରେ ୧୭୭ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଛତିଶଗଡ଼ର ଅଜୟ ଯାଦବ ମଣ୍ଡଳ ୬ଟି ୱିକେଟ୍ ନେଇଥିଲେ ।