ଝରିଗାଁ,ଏନ୍ଏନ୍ଏସ୍: ଝରିଗାଁ ବ୍ଲକ୍ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ପ୍ରଥମ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସତ୍ୟ ନାରାୟଣ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥିଭାବେ ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀଙ୍କ ଉପସ୍ଥିତିରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମଧ୍ୟରେ ୨୩ ପଞ୍ଚାୟତର ସମିତି ସଭ୍ୟସଭ୍ୟା ଏବଂ ସରପଞ୍ଚ ଅଂଶଗ୍ରହଣ କରିଥିଲେ । ୩ଟି ଜୋନର ଜିଲ୍ଲାପରିଷଦ ମେମ୍ବର ସମେତ ସାଂସଦ ବ୍ଲକ୍ ପ୍ରତିନିଧି ପ୍ରିୟରଞ୍ଜନ ଦାସ ଉପସ୍ଥିତ ଥିଲେ । ସମସ୍ତ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ ସମେତ ଜିଆରଏସ ଓ ପିଇଓ ଯୋଗାଣ ସହାୟକ ବୈଠକରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟଅତିଥି ବିଧାୟକ ଇଂ ପ୍ରକାଶ ମାଝୀ ସରକାରଙ୍କ ବିଭିନ୍ନ ସରକାରୀ ଉନ୍ନୟନମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସମସ୍ୟା, ପ୍ରାକ୍ ଶିକ୍ଷା କେନ୍ଦ୍ର ନିର୍ମାଣ, ଉଦ୍ୟାନ ନିର୍ମାଣ, ନୂତନ ବିଦ୍ୟାଳୟ କୋଠା ନିର୍ମାଣ ଭଳି ମୌଳିକ ସୁବିଧା କରିବା,ଗୁଣାତ୍ମକ ଶିକ୍ଷାର ଭିତ୍ତିଭୂମିର ବିକାଶ ସାଙ୍ଗକୁ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବିଦ୍ୟାଳୟ ରୂପାନ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।