ମହିଳା ଫାଇନାନ୍ସ କର୍ମଚାରୀ ହତ୍ୟା ଘଟଣାରେ ୨ ଗିରଫ, ସିନ ରିକ୍ରିଏସନ କରାଇଲା ପୁଲିସ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ମହିଳା ଫାଇନାନ୍ସ କର୍ମଚାରୀ ରିତା ସାହୁ ହତ୍ୟା ଘଟଣାରେ ଆଜି ଦେବଗଡ଼ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଦ୍ୱୟ ହେଲେ ରେଙ୍ଗାଲି ଥାନା ପାଣ୍ଡଲୋଇ ଗ୍ରାମର ପ୍ରେମିକ ଅଶ୍ୱିନୀ ସାନ୍ଧୁ ଓ ଭଡ଼ାଟିଆ ସହଯୋଗୀ ସମ୍ବଲପୁର ଦାନୀପାଲିର ଚେରୁ ଓରଫ ଶ୍ୟାମ ଖଡ଼ିଆ । ଅନ୍ୟପଟେ ଏସଡିପିଓ ଅନିଲ କୁମାର ବେଉରିଆ ଓ ଆଇଆଇସି ସୁରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଓ ଦେବଗଡ଼ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଧରି ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ସିନ ରିକ୍ରିଏସନ କରିଛି ।

ମିଳିଥିବା ରିପୋର୍ଟ ମୁତାବକ, ଦେବଗଡ଼ ଥାନା ପୁଲିସ ଗତକାଲି ଅଭିଯୁକ୍ତ ଦ୍ୱୟଙ୍କୁ ପଣ୍ଡଲୋଇ ଓ ସମ୍ବଲପୁରରୁ ଉଠାଇବା ପରେ ଆଜି ଗିରଫ କରିଛି । ଅଶ୍ୱିନୀ ସହ ପ୍ରେମ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇବାକୁ ଚେଷ୍ଟା କରିବାରୁ ଗତ ୪ ତାରିଖ ରାତିରେ ପ୍ରେମିକା ରିତା ଅଫିସରୁ ଘରକୁ ବାହାରୁ ଥିବାବେଳେ ୨ ଅଭିଯୁକ୍ତ ତାଙ୍କ ବେକକୁ ଛୁରୀରେ କାଟିବା ପରେ ପଥର ଛେଚି ହତ୍ୟା କରିଥିଲେ । ପରେ ଘଟଣାସ୍ଥଳରୁ ସହଯୋଗୀ ଚେରୁ ଏକ ବାଇକ ଚୋରି କରିନେଇ ଫେରାର ହୋଇଯାଇଥିଲା । ଚେରୁ ନାମରେ ସମ୍ବଲପୁରର ବିଭିନ୍ନ ଥାନାରେ ୬ଟି ହତ୍ୟା ମାମଲା ସହ ହତ୍ୟା ଉଦ୍ୟମ, ଚୋରି ଓ ଲୁଟ ଭଳି ବିଭିନ୍ନ ମାମଲା ରହିଥିବା ଜଣାପଡ଼ିଛି ।