ମୋବାଇଲ ଦୋକାନରେ ପିଆଜ ଅଫର, ଗୋଟେ ମୋବାଇଲ କିଣିଲେ ଏକ କେଜି ପିଆଜ ଫ୍ରି

ବାଲେଶ୍ୱର,ଏନ୍ଏନ୍ଏସ୍: ପିଆଜର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ବହୁ ଟ୍ରୋଲ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କେଉଁଠି ପିଆଜକୁ କନଫୁଲ କରି କାନରେ ପିନ୍ଧୁଥିବା ଭିଡ଼ିଓ ତ କେଉଁଠି ଏହାକୁ ବରମାଳ, ଗିଫ୍ଟ ଆକାରରେ ଦିଆଯାଉଥିବା ଦେଖିବାକୁ ମିଳିଛି। ଏହି ପିଆଜ ଦରର ବୃଦ୍ଧିକୁ ନେଇ ବର୍ତ୍ତମାନ ବ୍ୟବସାୟୀମାନେ ନୂତନ ବାଣିଜ୍ୟ ପନ୍ଥା ଆପଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ଜଣେ ମୋବାଇଲ ଦୋକାନୀ ପ୍ରିୟଙ୍କ କୋଟେଚା ନିଜ ଦୋକାନରେ ଯିଏ ମୋବାଇଲ କିଣୁଛି ତା’କୁ ଏକ କେଜି ପିଆଜ ଉପହାର ଆକାରରେ ଦେଉଛନ୍ତି। ବାଣିଜ୍ୟ କ୍ଷେତ୍ରରେ ଏଭଳି ଅଭିନବ ପ୍ରୟାସ ପାଇଁ ସେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ମଙ୍ଗଳବାର ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଆଗାମୀ ସପ୍ତାହ ପର୍ୟ୍ୟନ୍ତ ସେ ଗ୍ରାହକଙ୍କ ପାଇଁ ଏହି ଅଫର୍‌ ରଖିଥିବା ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଶ୍ରୀ କୋଟେଚା କହିଛନ୍ତି ଯେ ପିଆଜ ଏବେ ବଜାରରେ ଏକ ଦୁର୍ଲଭ ସାମଗ୍ରୀ ଭାବେ ଉଭା ହୋଇଛି । ସାଧାରଣ ଗ୍ରାହକ ଏହାକୁ କିଣି ପାରୁନାହାନ୍ତି । ଏଭଳି ସ୍ଥିତିରେ ପ୍ରତିଯୋଗିତାମୂଳକ ବଜାରରେ ଦୋକାନକୁ ଅଧିକ ଗ୍ରାହକ ଆସିବା ପାଇଁ ସେ ‌ପିଆଜ ଅଫର୍‌ ରଖିଛନ୍ତି ।
ଯେଉଁ ଗ୍ରାହକ ଆମ ଦୋକାନରୁ ଗୋଟିଏ ମୋବାଇଲ୍‌ କିଣୁଛନ୍ତି ତାଙ୍କୁ ଗୋଟିଏ କେଜି ପିଆଜ ମାଗଣାରେ ଉପହାର ଭାବେ ଦେଉଛୁ ବୋଲି ସେ କହିଥିଲେ। ପିଆଜ ଯୋଗୁଁ ପୂର୍ବଦିନ ଅପେକ୍ଷା ତାଙ୍କ ଦୋକାନରେ ଅଧିକ ୨ଟି ମୋବାଇଲ ବିକ୍ରି ହୋଇଥିବା ଶ୍ରୀ କୋଟେଚା କହିଛନ୍ତି।