ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମକାରୀ, ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ଅକ୍ଷୟ କୁମାର ସିଂହଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏ ନେଇ ବୁଧବାର ଅପରାହ୍ଣ ୧ଟାରେ ସୁପ୍ରିମକୋର୍ଟ ପକ୍ଷରୁ ଶୁଣାଣି ହୋଇଛି। ଏ ନେଇ ସୁପ୍ରିମକୋର୍ଟର ଜଷ୍ଟିସ୍ ଆର୍ ଭାନୁମତି, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଏଏସ୍ ବୋପନ୍ନା ଗଠିତ ଖଣ୍ଡପୀଠରେ ରାୟ ଶୁଣାଇଛନ୍ତି । ବହୁଚର୍ଚ୍ଚିତ  ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଇନ୍ଦୁମତିି ଓ ଜଷ୍ଟିସ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ପୁନର୍ବିଚାର ଆବେଦନକୁ ଗ୍ରହଣ କରିବା ଭଳି କୌଣସି ଆଧାର ଆମର ଦୃଷ୍ଟିଗୋଚର ହେଲା ନାହିଁ।  ନିଜର ପୁନର୍ବିଚାର ଆବେଦନରେ ଅକ୍ଷୟ ଦର୍ଶାଇଥିଲା ଯେ ଦିଲ୍ଲୀର ପ୍ରଦୂଷଣ କାରଣରୁ ସେ ଆପେ ଆପେ ମରିଯିବ, ମୃତ୍ୟୁଦଣ୍ଡର ଆବଶ୍ୟକତା ନାହିଁ । ସେହିପରି ମୃତ୍ୟୁଦଣ୍ଡ ଏକ ପୁରୁଣାକାଳିଆ ଦଣ୍ଡ ବ୍ୟବସ୍ଥା ହୋଇଥିବା କାରଣରୁ ଭାରତରେ ଫାଶୀଦଣ୍ଡ ଉଚ୍ଛେଦ ହେବା ଉଚିତ ।

ସୂଚନାଯୋଗ୍ୟ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ଓହରି ଯିବାରୁ ଗତକାଲି ଏହି ମାମଲାର ଶୁଣାଣି ହୋଇପାରିନଥିଲା। ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ୍ ଆର ଭାନୁମତି, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ ବୋପନ୍ନା କରିଛନ୍ତି । ୨୦୧୭ ମସିହାରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଅକ୍ଷୟ ସିଂହଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ ।

ଏହି ରାୟକୁ ଚ୍ୟାଲେଂଜ କରି ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ୨୦୧୨ ମସିହାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୋଟ୍ ୬ ଜଣ ଅଭିଯୁକ୍ତ ଥିଲେ । ଏମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରାମ ସିଂ ଜେଲରେ ଆତ୍ମହତ୍ୟା କରିସାରିଛି । ଅନ୍ୟ ଜଣେ ନାବାଳକ ୩ ବର୍ଷ ହେବ ବାଳ ସୁଧାର ଗୃହରେ ରହିଛି । ଏବଂ ୪ ଜଣ ଦୋଷୀଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି ।