କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ଏକ ଅଦା ବୋଝେଇ ଟ୍ରକରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଅମରିନ୍ଦର ସିଂହ। ମିଳିଥିବା ରିପୋର୍ଟ ମୁତାବକ, କୋରାପୁଟ ଆଡୁ ଜୟପୁରକୁ ଆସୁଥିବା ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାଙ୍କୁଡ଼ଙ୍କୁ ମିଳିଥିଲା। ସୂଚନାକୁ ଆଧାର କରି ଓଆଇସିଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ କୋରାପୁଟ ଘାଟିରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଟ୍ରକ୍ ପହଂଚିବା ମାତ୍ରେ ପୁଲିସ ଟିମ୍ ଅଟକାଇ ଯାଞ୍ଚ କରିବା ବେଳକୁ ଗାଡ଼ିରୁ ଅଦା ଅଖାରେ ଥିବା ୧୦୦୧ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଗିରଫ ଅଭିଯୁକ୍ତଠାରୁ ପୁଲିସ ଗୋଟିଏ ମୋବାଇଲ ଫୋନ୍ ଓ ଟ୍ରକରୁ ୯୩ ବସ୍ତା ଅଦା ମଧ୍ୟ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।