୧୮୩ କିଲୋ ଗଞ୍ଜେଇ ଜବତ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ଦ୍ୱାରା ଏକ ଅଟୋରିକ୍ସାରୁ ୧୮୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ବୈପାରିଗୁଡ଼ା ଅଞ୍ଚଳରୁ ଜୟପୁର ଆଡ଼କୁ ଓଡି-୧୦ଆର୍ ୦୭୫୫ ନମ୍ବର ଥିବା ଏକ ଯାତ୍ରୀବାହି ଅଟୋରିକ୍ସାରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା। ସୂଚନା ପାଇ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାକୁଡ, ସବଇନ୍ସପେକ୍ଟର ପି କେ ମହାନ୍ତି ଓ ଅନ୍ୟମାନେ ପାତ୍ରପୁଟ ବ୍ରୀଜ୍ ନିକଟରେ ଅପେକ୍ଷା କରି ରହିଥିଲେ। ଉକ୍ତ ଅଟୋରିକ୍ସା ଆସିବା ମାତ୍ରେ ପୁଲିସ୍ ଟିମ୍ ଅଟକାଇ ଯାଞ୍ଚ କରିବାରୁ ଜରି ଅଖାରେ ୧୮୩ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ଲକ୍ଷ ୧୫ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣାରେ କେହି ଗିରଫ ହୋଇନଥିବାବେଳେ କୌଶଳକ୍ରମେ ଅଟୋ ଚାଳକ ଫେରାର ହୋଇଯାଇଛି।