ପୁଲିସ୍-ଅବକାରୀ ବିଭାଗ କାଟିଲା ୧୮ ହଜାର ଗଞ୍ଜେଇ ଗଛ

କୋରାପୁଟ,ଏନ୍ଏନ୍ଏସ୍: ପାଡୁଆ ଥାନା ଗୋଡ଼ିପୁଟ ଗ୍ରାମ ନିକଟରେ  ପୁଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ୧୫ ଏକର ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ୧୮ ହଜାର ଗଞ୍ଜେଇ ଗଛକୁ କାଟିଛି। ମିଳିଥିବା ରିପୋର୍ଟ ମୁତାବକ, ଜଲାପୁଟ ଜଳ ଭଣ୍ଡାର ଦ୍ୱାରା ବିଚ୍ଛିନାଞ୍ଚଳ ଭାବେ  ଥିବା ଗୋଡ଼ିପୁଟ ଗ୍ରାମ ନିକଟରେ ୧୫ ଏକର ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିବା ଜଣାପଡ଼ିଥିଲା। ପରେ ସହକାରୀ ଜିଲ୍ଲାପାଳ ତପନ କୁମାର ନାୟକଙ୍କ ଉପସ୍ଥିତିରେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, କୋରାପୁଟ ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ ଓ ପାଡୁଆ ଥାନାଧିକାରୀ  ସରୋଜ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶୁକ୍ରବାର ପୂର୍ବାହ୍ନରେ ଉକ୍ତ ସ୍ଥାନରେ ଚଢ଼ଉ କରାଯାଇ ଗଞ୍ଜେଇ ଗଛ କଟାଯାଇଥିଲା। ଏହି ଚଢ଼ଉରେ  ଡିଏଫଏସ୍  ଇନ୍ସପେକ୍ଟର ଦିଲ୍ଲୀପ କୁମାର ରଥ, ସବଇନ୍ସପେକ୍ଟର ଖଗେଶ୍ୱର କୋଟ୍ଟା, ନନ୍ଦପୁର ଅବକାରୀ ଓଆଇସି ତ୍ରିନାଥ ଚିନ୍ତାଡ଼ା, ଅବକାରୀ ଏଏସଆଇ ଅରୋପଲକ ଦାଶ, ପ୍ରତିମା ବେହେରା, କନେଷ୍ଟବଳ ତ୍ରିଲୋଚନା ରାୟଚେଟ୍ଟୀ, ପ୍ରଶାନ୍ତ ନାୟକ, ରାମଚନ୍ଦ୍ର ଗୌଡ଼, ସବିତା ପୂଜାରୀଙ୍କ ସମେତ ଏପିଆର ଫୋର୍ସ ଓ ଅନ୍ୟମାନେ ସାମିଲ ହୋଇଥିଲେ।