ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ଆଜି ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଂଚିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଦ୍ମପୁର ଏନଏସି ଅଚଂଳରୁ ୨ଜଣ, ଅମ୍ବାଭୋନା ଟିଏମସିରୁ ଜଣେ ଏବଂ ବରଗଡ଼ ସଦର ବ୍ଲକ କଟାପାଲି କଣ୍ଟେନମେଣ୍ଟ ଜୋନରୁ ୧୫ ଜଣ ବ୍ୟକ୍ତି ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅମ୍ବାଭୋନା ଟିଏମସିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ରାଜସ୍ଥାନ ଫେରନ୍ତା ହୋଇଥିବା ବେଳେ ପଦ୍ମପୁର ଏନଏସିର ୨ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିିତ ହୋଇଛନ୍ତି। ଅନ୍ୟପଟେ କଟାପାଲିର ଚିହ୍ନଟ ୧୫ଜଣ ମଧ୍ୟ ଗ୍ରାମର ପୂର୍ବ ସଂକ୍ରମିତଙ୍କଠାରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କଟାପାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ପ୍ରଶାସନ ତରଫରୁ ଗତ ୧୬ତାରିଖରୁ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି। ଏତଦବ୍ୟତୀତ ଗାଁରେ ଘରକୁ ଘର ସର୍ଭେ କରାଯିବା ସହ ପ୍ରାୟ ୪ଶହରୁ ଊର୍ଦ୍ଧ ବ୍ୟକ୍ତିଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି। କଟାପାଲି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସତ୍ୱେ ଗ୍ରାମବାସୀ ଅବାଧରେ ବରଗଡ଼ ସହରକୁ ଆସୁଛନ୍ତି। ସେଥିପାଇଁ ସହରକୁ ସୁରକ୍ଷିତ ରଖିବା ଲାଗି ୭୨ ଘଣ୍ଟିଆ ସଟଡାଉନ କରିବାକୁ ବରଗଡ଼ ମହିଳା ସମିତି ତରଫରୁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୪୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩୮ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।