ରାୟଗଡ଼ା,ଏନ୍ଏନ୍ଏସ: ପୂର୍ବତନ ମନ୍ତ୍ରୀ ତଥା ଉପବାଚସ୍ପତି ଲାଲବିହାରୀ ହିମିରିକା ଅସୁସ୍ଥ। ଗତଚାଲି ରାତି ପ୍ରାୟ ୯ଟା ସମୟରେ ଶ୍ରୀ ହିମିରିକା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଶ୍ରୀ ହିମିରିକା ପାଚାନକ୍ରିୟା ଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଭେଷଜ ବିଶେଷଜ୍ଞ ଡା. ସୁରେଶଚନ୍ଦ୍ର ଦେ, ଶଲ୍ୟ ଚିକତ୍ସକ ଡା.ଗୋପାଳ ପଟ୍ଟନାୟକ ଓ ଡା. ବିରେନ ନାୟକଙ୍କ ଏକ ୩ ଜଣିଆ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ । ଶ୍ରୀ ହିମିରିକା ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ। ଅନ୍ୟପଟେ ଶ୍ରୀ ହିମିରିକାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ସମ୍ପର୍କରେ ଖବର ପାଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଠା ସୁଧୀର କୁମାର ଦାସ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ଯାଇ ଶ୍ରୀ ହିମିରିକାଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି।