ମାଲକାନଗିରି,ଏନ୍ଏନ୍ଏସ୍: ଲକଡାଉନ୍ ଯୋଗୁ ଲୋକଙ୍କ ପାଖରେ କାମଧନ୍ଦା ନଥିବା ସହ ଦେଶରେ ମାନ୍ଦାବସ୍ଥା ଜାରୀ ରହିଥିବାରୁ କେନ୍ଦ୍ର ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ଜିଏସଟି ପୈଠ ସମୟସୀମାକୁ ବୃଦ୍ଧି କରିବା ସହ ବିଭିନ୍ନ ବୀମା ଓ ଦେୟ ସମୟସୀମା କ୍ଷେତ୍ରରେ କହୋଳ କରିଛନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୯୬ ଗ୍ରାମରେ ଫାଇନାନ୍ସ କମ୍ପାନୀ ନାଲି ଆଖି ଦେଖାଇ ଋଣ ପରିଶୋଧ ପାଇଁ ମହିଳାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ମହିଳାମାନେ ଫୁସିଅନ୍ ଫାଇନାନ୍ସ କମ୍ପାନୀଠାରୁ ଋଣ ନେଇ ଉକ୍ତ ଟଙ୍କାକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିଥିଲେ। ହେଲେ ବର୍ତ୍ତମାନ ସ୍ଥିତିରେ ସେମାନେ ସୁଧ ଟଙ୍କା ପରିଶୋଧ କରିବାରେ ଅସମର୍ଥ ହୋଇଥିବା ବେଳେ ସଂପୃକ୍ତ କମ୍ପାନୀର ଏଜେଣ୍ଟମାନେ ଜମି ନଚେତ ଘର ବିକ୍ରି କରି ଋଣ ପରିଶୋଧ କରିବାକୁ ଚାପ ପକାଉଥିବା ଗ୍ରାମର ଦୀପିକା ବାଲା, ଅଞ୍ଜଳି ଚକ୍ରବର୍ତ୍ତୀ, ମାୟାରାଣି ଅଧିକାରୀ ଓ ମିଲନ ସରକାର ପ୍ରମୁଖ ଅଭିଯୋଗ କରିଛନ୍ତି। ଏଥିସହିତ ଆଗାମୀ ଦିନରେ ଯଦି ଫାଇନାନ୍ସ କମ୍ପାନୀର ଏଜେଣ୍ଟମାନେ ଏପରି ହଇରାଣ କରନ୍ତି ତେବେ ସେମାନଙ୍କୁ ଗ୍ରାମରେ ବାନ୍ଧି ପୁଲିସର ଜିମା ଦେବାକୁ ପଛେଇବୁ ନାହିଁ ବୋଲି ସେମାନେ ଚତାବନୀ ଦେଇଛନ୍ତି।