ବର୍ଷକ ମଧ୍ୟରେ ଟଳିଛନ୍ତି ୧୬୦ ମାଓବାଦୀ

ମାଲକାନାଗିରି,ଏନ୍ଏନ୍ଏସ୍: ଓଡ଼ିଶା, ଛତିଶଗଡ ଭଳି ଆଉ କିଛି ରାଜ୍ୟରେ ଏବେବି ଲାଲବାହିନୀଙ୍କ ଉତ୍ପାତ ଜାରି ରହିଛି। ଏମାନଙ୍କୁ ଦମନ କରିବା ବର୍ତ୍ତମାନ ରାଜ୍ୟ ତଥା ଦେଶ ପୁଲିସ୍ ପାଇଁ ଏବେ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ବର୍ଷକ ମଧ୍ୟରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଓଡ଼ିଶା-ଛତିଶଗଡ ବୟାନ କରିଛି।

ସୂଚନା ଅନୁସାରେ ନକ୍ସଲ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦିଆଯାଇଛି ଯେ ଗତ ଗୋଟିଏ ବର୍ଷ ମଧ୍ୟରେ ୧୬୦ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି। ତଥ୍ୟ ଅନୁସାରେ ଏହି ୧୬୦ ମୃତକଙ୍କ ମଧ୍ୟରୁ ଦଣ୍ଡକାରଣ୍ୟରେ ପୁଲିସ ଏନକାଉଣ୍ଟରରେ ୧୦୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଓଡ଼ିଶାରେ ୧୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶା-ଆନ୍ଧ୍ର ସୀମାରେ ୧୧, ତେଲେଙ୍ଗାନାରେ ୧୪, ବିହାର-ଝାଡ଼ଖଣ୍ଡରେ ୧୧, ଏମଏମସିରେ ୮ ଓ ପଶ୍ଚିମ ଘାଟିରେ ପୁଲିସ୍ ଏନ୍‌କାଉଣ୍ଟରରେ ଜଣଙ୍କ ମୃତ୍ୟୁ ଘଟିଛି।

ମୃତ ୧୬୦ ନକ୍ସଲଙ୍କ ମଧ୍ୟରେ ୩୦ ଜଣ ମହିଳା ମଧ୍ୟ ରହିଥିବା ସେଣ୍ଟ୍ରାଲ କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୩ ଜଣ ଟପ୍ ମାଓ ନେତା ମଧ୍ୟ ସାମିଲ ରହିଛନ୍ତି। ମୃତ୍ୟୁବରଣ କରିଥିବା ୧୬୦ ମାଓବାଦୀଙ୍କ ମଧ୍ୟରୁ କିଛି ମାଓବାଦୀଙ୍କ ଜୀବନ କରୋନା ନେଇଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରାୟ ୧୩ ଜଣ ଟପ୍ ମାଓ ନେତାଙ୍କ ଜୀବନ ଯାଇଥିବା ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ସୂଚନା ଦିଆଯାଇଛି।