ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ସିଆରପିଏଫ ୧୮୯ ବାଟାଲିଅନ୍ ପକ୍ଷରୁ ୧୬ ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦେଶ ସେବାରେ ବଲାଙ୍ଗିର ସିଆରପିଏଫ ୧୮୯ ବାଟାଲିଅନ୍ ଏକ ସ୍ୱର୍ଣ୍ଣିମ ଫର୍ଦ୍ଧ ସୃଷ୍ଟି କରିବ ବୋଲି ବିଶ୍ୱାସ କରାଯାଇଛି। ୧୬ ତମ ସ୍ଥାପନା ଦିବସ ପାଇଁ ଗତ ୨୮ ତାରିଖ ଦିନ ଇଣ୍ଟର କମ୍ପାନୀ ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଗତ ଶନିବାର ଦିନ ଶାନ୍ତିପଡ଼ା, ଗୋଶାଳା, ତଥା ୟୁନିଟ୍ ମୁଖ୍ୟାଳୟରେ ସିଆରାପିଏଫ ମେଳାର ଆୟୋଜନ ହୋଇଥିବାବେଳେ ଏଥିରେ ବଲାଙ୍ଗିର ସରକାରୀ ଆଇଟିଆଇର ଛାତ୍ର ଏବଂ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ସିଆରପିଏଫ ଯବାନମାନଙ୍କ ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ଇତିହାସକୁ ଅନୁଭବ କରିବା ଭଳି ଏକ ଅବସର ସୃଷ୍ଟି ହୋଇଥିଲା।
ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ନିଜର ପ୍ରାଣବଳୀ ଦେଇଥିବା ବୀର ସହିଦଙ୍କ ଶ୍ରଦ୍ଧାଞ୍ଜଳି ଦେବା ସହ ଆରମ୍ଭ ହୋଇଥିବା କାର୍ୟ୍ୟକ୍ରମରେ କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୋର୍ୟ୍ୟ ତଥା ସିଆରପିଏଫର ଅଧିକାରୀ ବୃନ୍ଦ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସୈନିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଦେଶଭକ୍ତି ତଥା ଦେଶର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଲୋକନୃତ୍ୟ, ଭାଙ୍ଗଡ଼ା ଏବଂ ହୃଦୟସ୍ପର୍ଶୀ ଭାବନା ସମ୍ବଳିତ ନାଟକ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜର ପ୍ରିନ୍ସପାଲ୍ ତଥା ଡିନ୍ ଡା. ସବିତା ମହାପାତ୍ର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ପ୍ରଧାନ ଶିକ୍ଷକ କରୁଣାନିଧି ଝାଙ୍କର ଯୋଗଦେଇ ସିଆରପିଏଫର ଦେଶସେବାରେ ଯୋଗଦାନକୁ ପ୍ରଶଂସା କରିବା ସହ ଯବାନମାନଙ୍କୁ ଉତ୍ସାହିତ କରିଥିଲେ।