ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଝାରସୁଗୁଡ଼ାର ୧୬ଟି ସଂଗଠନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ସରକାର ଲାଗୁ କରିଥିବା କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ସର୍ବଭାରତୀୟ ସ୍ତରରେ କରାଯାଉଥିବା ଭାରତ ବନ୍ଦକୁ ସମର୍ଥନ କରି ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଜିଲ୍ଲା କୃଷକ ସଂଗଠନ, ଜିଲ୍ଲା କଂଗ୍ରେସ, ପ୍ରଗତିଶୀଳ ଶ୍ରମିକ ମଞ୍ଚ, ଆମ ଆଦମି ପାର୍ଟି, ସିପିଆଇ, ସିପିଏମ, ଟ୍ରକ, ବସ ମାଲିକ ପରି ପ୍ରାୟ ୧୬ଟି ସଂଗଠନ ସମର୍ଥନ କରି ପ୍ରଶନ୍ନ ପଣ୍ଡା ଛକ, ଏନ-୪୯ ଓ ବିଜୁ ଏକ୍ସପ୍ରେସ ୱେ, ଲଖନପୁର ଛକ, ବୋଲପାହାଡ଼ ଫାଟକ, ବନ୍ଧବାହାଲ, ଏନଏଚ-୪୯କୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଝାରସୁଗୁଡ଼ା- ସମ୍ବଲପୁର, ଝାରସୁଗୁଡ଼ା-ସୁନ୍ଦରଗଡ଼, ଝାସୁଗୁଡ଼ା- ରାଇଗଡ଼ ଦେଇ ଚଳାଚଳ କରୁଥିବା ସମସ୍ତ ଗାଡ଼ିକୁ ଚାଷୀମାନେ ଅଟକାଇ ଥିଲେ। ସେହିପରି ପିକେଟିଂ କରି ଦୋକାନ ବଜାର, ସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଆନ୍ଦୋଳନକାରୀମାନେ ପିକେଟିଂ କରି ବନ୍ଦ କରିଥିଲେ। ଆନ୍ଦୋଳନକାରୀମାନେ ରସ୍ତାରେ ଧାରଣା ଦେଇ ନୂତନ କୃଷି ଆଇନ ପ୍ରତ୍ୟାହାର ନେଇ ନାରାବାଜି କରିଥିଲେ।

ଆନ୍ଦୋଳନକାରୀ କହିଛନ୍ତି ଯେ, ନୂତନ କୃଷି ଆଇନ କୃଷକଙ୍କ ସ୍ୱାର୍ଥର ବିରୁଦ୍ଧାଚରଣ କରୁଛି। ଏହା କୃଷି ବ୍ୟବସ୍ଥାକୁ ଧ୍ୱଂସ କରି କୃଷିର କମ୍ପାନୀକରଣ ପାଇଁ  ସହାୟକ ହେଉଛି। ଏହି କୃଷି ଆଇନ ଅନୁସାରେ ଆବଶ୍ୟକ ସାମଗ୍ରୀ ଆଇନ ୧୯୫୫କୁ ସଂଶୋଧନ କରାଯାଇ ଚାଉଳ, ଗହମ, ସମସ୍ତ ପ୍ରକାର ଡାଲି, ତୈଳବୀଜ, ଆଳୁ, ପିଆଜ ସହ ୬୦ ପ୍ରକାର ଅତି ଆବଶ୍ୟକ ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଯାଉଛି। ଫଳରେ ଏହି ସାମଗ୍ରୀଗୁଡିକୁ ମୁନାଫାଖୋର ବ୍ୟବସାୟୀ କଳାବଜାରୀ କରିବାରୁ ଦରଦାମ ବୃଦ୍ଧି ହେଉଛି। ସେହିପରି ଏଗ୍ରିକଲଚର ପ୍ରଡିଉସ ମାର୍କେଟ କମିଟି(ଏପିଏମସି)କୁ ଭାଙ୍ଗିଦେଇ କର୍ପୋରେଟଙ୍କୁ କୃଷି ବଜାରରେ ଅନୁମତି ପ୍ରଦାନ କରାଯାଇଛି। ଫଳରେ କୃଷକମାନେ ବହୁ ମାତ୍ରାରେ କ୍ଷତି ସହିବାକୁ ବାଧ୍ୟ ହେବେ। ତେଣୁ ସରକାର ଏହି ୩ଟି ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫କୁ ପୁନଃପ୍ରଚଳନ, ଧାନ କ୍ରୟ ସମୟରେ କଟନୀ ଛଟନୀ ବନ୍ଦ କରିବା ଓ ଚାଷୀର ସମସ୍ତ ଧାନକୁ କିଣିବାର ବ୍ୟବସ୍ଥା କରନ୍ତୁ ବୋଲି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେହିପରି ଅତ୍ୟାବଶ୍ୟକ ଖାଉଟୀ ଏବଂ ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀର ଦର ହ୍ରାସ କରାଯାଉ, ଝାରସୁଗୁଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଜିଲ୍ଲା ଭାବରେ ଘୋଷଣା କରାଯାଇ ଚାଷୀଙ୍କୁ ଋଣ ଛାଡ଼ କରାଯାଉବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।