ଓପିଜିସିରୁ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ୧୫ ଚୋର ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍: ବନହରପାଲସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ରୁ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ୧୫ ଜଣ ଚୋରଙ୍କୁ ବନହରପାଲି ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଚୈତନ୍ୟ ଧୁରୁଆ, ପବିତ୍ର ଚନ୍ଦନ, ହିରେନ୍ଦ୍ର ଚନ୍ଦନ, ସଞ୍ଜୟ ଖିଲାରୀ, କାନ୍ତ ଧୁରୁଆ, ଘନଶ୍ୟାମ ଧୁରୁଆ, ଡାକ୍ତର ସେଠ୍, ରୁକମନ କାନ୍ତା, ପ୍ରତାପ ମାଝି, କୁଲମଣି ପଧାନ, କୈଲାସ ଭୁଏ, ଆକାଶ ପଧାନ, ବିରେଶ ପଧାନ, ରାଜେଶ ମାଝି, ଜିତେନ୍ଦ୍ର ରାଉତ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ମେହେର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଏହି ଚୋରମାନେ ଓପିଜିସି ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ସମୟରେ ଚୋରି କରୁଥିଲେ। କିଛିଦିନ ପୂର୍ବରୁ ଓପିଜିସିରୁ ଲ୍ୟାପଟପ, କମ୍ପ୍ୟୁଟର, ଲୁହା ପାଇପ, ପ୍ରିଣ୍ଟର, ୱେଲଡିଙ୍ଗ ମେସିନ ପରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ। ଏନେଇ ଓପିଜିସି ଅଧୀନରେ କାମ କରୁଥିବା ଏକ ଠିକା ସଂସ୍ଥାର ମାଲିକ ବ୍ରଜ କିଶୋର ସିଂ ବନହରପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଧାରା ୪୫୭/୩୮୦ରେ କେସ ନମ୍ବର ୧୫୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହି ଚୋରିରେ ଉପରୋକ୍ତ ଅଭିଯୁକ୍ତମାନେ ସମ୍ପୃକ୍ତ ଥିବା ପୁଲିସ ସୂଚନା ପାଇ ସେମାନଙ୍କୁ ଅଟକ ରଖିବାସହ ପଚରାଉଚୁରା କରିଥିଲା। ଏଥିରେ ଅଭିଯୁକ୍ତମାନେ ଚୋରି କରିବା ସ୍ୱୀକାର କରିବା ପରେ ପୁଲିସ ଚୋରି ସାମଗ୍ରୀ ଉଦ୍ଧାର କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି।