୧୫ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ୩ ଜିଲ୍ଲାକୁ ପାନୀୟ ଜଳ ପାଇଁ ୧୪୫୦ କୋଟି

– ୩ ଜିଲ୍ଲାର ୮.୫ ଲକ୍ଷ ଲୋକ ହେବେ ଉପକୃତ
– ଅବଢ଼ା ଯୋଜନାରେ ଖଣ୍ଡୋଲାଇଟ୍ ଖଣି ପାଇଁ ‘ରୟାଲ୍‌ଟି’ ଛାଡ଼
– ସଂଶୋଧିତ ହେବ ମୁଖ୍ୟ ଦପ୍ତର ‘କମନ୍ କ୍ୟାଡର୍‌’ ନିୟମାବଳୀ-୨୦୧୯

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗ୍ରାମାଞ୍ଚଳ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ସୁନ୍ଦରଗଡ଼, କେନ୍ଦୁଝର ଓ କଟକ ଜିଲ୍ଲାରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ମୋଟ୍ ସାଢ଼େ ୮ ଲକ୍ଷ ଲୋକ ଉପକୃତ ହେବେ। ୧୪୫୦ କୋଟିରୁ ଅଧିକ ଅର୍ଥ ବ୍ୟୟ ହେବ। ୨୪ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କ୍ୟାବିନେଟ୍‌ରେ ଏହି ପ୍ରସ୍ତାବରେ ମୋହର ଲାଗିଛି।

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ବୈଠକ ପରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ରାଜ୍ୟର ୩ ଜିଲ୍ଲାରେ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର ଓ କଟକ। ସୁନ୍ଦରଗଡ଼ରେ ଦୁଇଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ପାଇଁ ମୋଟ୍ ୧୧୭୫ କୋଟି ୪୮ ଲକ୍ଷ ୪୨ ହଜାର ୭୬୦ ଟଙ୍କା ବ୍ୟୟ ହେବ। ୨୪ ମାସର ସମୟସୀମା ମଧ୍ୟରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୧୦ଟି ବ୍ଲକ୍‌ର ୭୧୬ ଗ୍ରାମରେ ୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ପ୍ରଥମ ପ୍ରକଳ୍ପରେ ୩୮୮ କୋଟି ୮୧ ଲକ୍ଷ ୮୭ ହଜାର ୩୮୦ ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଥିଲାବେଳେ ଦ୍ୱିତୀୟ ପ୍ରକଳ୍ପରେ ୭୮୬ କୋଟି ୬୬ ଲକ୍ଷ ୫୫ ହଜାର ୩୮୦ ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଛି।

ସେହିପରି କଟକ ଜିଲ୍ଲାରେ ମଧ୍ୟ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପ୍ରାୟ ୨୭୫ କୋଟି ୩୯ ଲକ୍ଷ ୮୩ ହଜାର ୯୬୦ ଟଙ୍କା ବ୍ୟୟରେ ହେବ ଏହି ପ୍ରକଳ୍ପ। ଏଥିଯୋଗୁଁ ଜିଲ୍ଲାର ୪ଟି ବ୍ଲକର ୨୬୨ଟି ଗାଁର ୨.୫୦ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ। କଟକ ଓ ସୁନ୍ଦରଗଡ଼ର ଏହି ତିନି ପାନୀୟ ଜଳ ପ୍ରକଳ୍ପକୁ ମୁମ୍ବାଇର ଜେଏମ୍‌ସି ପ୍ରୋଜେକ୍ଟ୍ ଲିମିଟେଡ୍ ନିର୍ମାଣ କରିବାକୁ ସରକାର ଅନୁମତି ଦେଇଛନ୍ତି। ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ‘ୱାଟ୍‌କୋ’ ମାଧ୍ୟମରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ କ୍ୱାଲିଟି’ର ବ୍ୟବସ୍ଥା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଣ୍ଟା ଭିଡ଼ିଛି। ଏଥିପାଇଁ ପ୍ରାୟ ୧୦୪ କୋଟି ବ୍ୟୟ ହେବ। ଯୋଡ଼ା ସହରରେ ସ୍ୱଚ୍ଛ ଜଳ ଯୋଗାଇ ପାଇଁ ୨୬ କିଲୋମିଟର ବ୍ୟାପୀ ଜଳ ଯୋଗାଣ ପାଇପ୍ ବିଛାଯିବ। ୫ଟି ଉଭରହେଡ୍ ଟ୍ୟାଙ୍କ୍‌, ୭୦ କିମି ଜଳ ବିତରଣ ବ୍ୟବସ୍ଥା, ୨.୮ କିମି ଦୂରରୁ ଜଳ ଉଠାଣ ଏବଂ ୧୯.୫୧ ଏମ୍‌ଏଲ୍‌ଡି କ୍ଷମତା ବିଶିଷ୍ଟ ଇନଟେକ୍ ୱେଲ ଆଦି ବ୍ୟବସ୍ଥା ହେବ। ଚମ୍ପୁଆ ସହରରେ ସେମତି ୩ଟି ଉଭରହେଡ୍ ଟ୍ୟାଙ୍କ୍‌, ୨୬.୫ କିମି ଜଳ ବିତରଣ ବ୍ୟବସ୍ଥା, ୨.୧ କିମି ପାଇପ୍ ବିଛାଇବ କାର୍ଯ୍ୟ ଆଦି ବ୍ୟବସ୍ଥା ହେବ। ଏହି ପ୍ରକଳ୍ପ ଚଳିତ ବର୍ଷ ସେପ୍ଟେମ୍ବର ପହିଲାରୁ ଅଗଷ୍ଟ ୩୧ ମଧ୍ୟରେ ଶେଷ ହେବ। ଏହାକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି।

ଶ୍ରୀ ମହାପାତ୍ର କହିଥିଲେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଉ କିଛି ପ୍ରସ୍ତାବରେ ମୋହର ବାଜିଛି। ‘ଅବଢ଼ା’ଯୋଜନା ଅନ୍ତର୍ଗତ ପ୍ରକଳ୍ପ ମାଧ୍ୟମରେ ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର, ଡିସେମ୍ବର ୨୦୧୯ ରେ ୬ ଗୋଟି ଖଣ୍ଡାଲାଇଟ୍ ଖଣିଜ ବ୍ଲକ ଚାନ୍ଦିଆ (ଯାଜପୁର), ସୁଖୁଆପଡା (ଯାଜପୁର), ତେଲିଗଡ଼ (ଯାଜପୁର), ଗୋବିନ୍ଦପୁର (କଟକ), କୁରୁମପଡ଼ା (ଖୋର୍ଦ୍ଧା), କୁଣ୍ଢାକୁଣ୍ଡି କୁଣ୍ଡା ପଥର ଖଣି, ନରଣଗଡ଼(ଖୋର୍ଦ୍ଧା) ଆଦି ସ୍ଥାନରେ ଓଡିଶା ଖଣି ନିଗମ ନିମନ୍ତେ ସଂରକ୍ଷଣ କରିଥିଲେ। ତନ୍ମଧ୍ୟରୁ, ନରଣଗଡ଼ (ଖୋର୍ଦ୍ଧା) ଠାରେ ଥିବା ବ୍ଲକକୁ ଓଡ଼ିଶା ଖଣି ନିଗମକୁ ଖଣି କାର୍ଯ୍ୟ ନିମନ୍ତେ ଲିଜ୍ ପ୍ରଦାନ କରାଯାଇଛି।

‘ଅବଢ଼ା ଯୋଜନା’ ଅନ୍ତର୍ଗତ ପ୍ରକଳ୍ପର ସହଜ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଂରକ୍ଷିତ ଖଣିରୁ ବାହାର କରାଯାଇଥିବା ଖଣିଜ ପଦାର୍ଥ (ଖଣ୍ଡୋଲାଇଟ୍‌) ନିମନ୍ତେ ରୟାଲ୍‌ଟି ଛାଡ଼ କରିବାକୁ କ୍ୟାବିନେଟ୍ କମିଟି ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ରାଜ୍ୟରେ ପୁରୀ ଭଳି ସହରକୁ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବାରେ ସହାୟକ ହେବ।

ଶ୍ରୀ ମହାପାତ୍ର ପୁଣି କହିଥିଲେ, କିଛି ସଂଶୋଧିତ ପ୍ରସ୍ତାବରେ ମଞ୍ଜୁରୀ ମିଳିଛି। ଓଡ଼ିଶା ପରିସଂଖ୍ୟାନ ଓ ଅର୍ଥନୀତି ସେବା ନିୟମ-୧୯୯୪ ସଂଶୋଧିତ ହୋଇଥିଲାବେଳେ ୧୯୯୧ ଓଡ଼ିଶା ଅଧିନିୟମ ୧ ଅସଙ୍ଗତିକୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ-୨୦୦୯ରେ ହଟାଇ ଦିଆଯାଇଛି। ଓଡ଼ିଶା କାରାଗାର ଫାର୍ମାସିଷ୍ଟ ସେବା(ଫାର୍ମାସିଷ୍ଟ ନିଯୁକ୍ତି ପଦ୍ଧତି ଓ ସେବାସର୍ତ୍ତ) ନିୟମାବଳୀ-୨୦୨୧ ପ୍ରଣୟନ ହୋଇଛି। ଏହାଦ୍ୱାରା କାରାଗାରଗୁଡ଼ିକରେ କାର୍ଯ୍ୟରତ ଫାର୍ମାସିଷ୍ଟମାନେ ପଦୋନ୍ନତି ପାଇପାରିବେ। ଓଡ଼ିଶା ବେସାମରିକ ସେବା (ପଦୋନ୍ନତି ପାଇଁ ମାପଦଣ୍ଡ) ନିୟମାବଳୀ-୧୯୯୨ର ସଂଶୋଧନ ହୋଇଛି। ନୂତନ ନିୟମ ବଳରେ ରାଜ୍ୟ ଓ ଜିଲ୍ଲା କ୍ୟାଡ଼ରରେ ଥିବା ଓଡ଼ିଶା ବେସାମରିକ ସେବାର କର୍ମଚାରୀମାନେ ନିୟମିତ ହୋଇପାରିବେ। ସେହିପରି ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର(ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ ପ୍ରତିଷ୍ଠାନ ଅଧିକାରୀ, ପ୍ରଶାସିନିକ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ)ର ‘କମନ୍ କ୍ୟାଡର’ ନିୟମାବଳୀ-୨୦୧୯ର ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଥିଲେ।