ଏଲଏସି ନେଇ ୧୫ ଘଣ୍ଟା ଚାଲିଲା ବୈଠକ, ଚୀନକୁ ଭାରତ କହିଲା- ସଂପୂର୍ଣ୍ଣ ଭାବେ ପଛକୁ ହଟିବାକୁ ହେବ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦ୍ଦାଖରେ ଗତ ମେ’ ମାସ ଠାରୁ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାରି ମଧ୍ୟରେ ଗତକାଲି (ରବିବାର) ଚୀନର ଚୁଶୁଲରେ ୯ମ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରବିବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ଚାଲିଥିଲା।

ଏହି ବୈଠକରେ ଭାରତ ଚୀନକୁ ତାର ସେନା ଏଲଏସିରୁ ସଂପୂର୍ଣ୍ଣ ଭାବେ ଫେରାଇ ନେବାକୁ କହିଛି। ଦୀର୍ଘ ଅଢ଼େଇ ମାସ ପରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା କୋର କମାଣ୍ଡର ସ୍ତରୀୟ ବୈଠକରେ ଭାରତ କହିଛି, ଉତ୍ତେଜନା ଅଞ୍ଚଳରେ ଡିସଇଂଗେଜମେଣ୍ଟ ଓ ଡି-ଏକ୍ସେଲେଶନ ପ୍ରକ୍ରିୟା ଆଗକୁ ବଢ଼ାଇବା ଚୀନ ଉପରେ ନିର୍ଭର କରୁଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ନଭେମ୍ବର ୬ ତାରିଖରେ ୮ମ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ଏଥିରେ ଉଭୟ ପକ୍ଷର ସୈନ୍ୟ ଓ କୁଟନୈତିକ ସଂପର୍କ ରଖି ଅନ୍ୟ ସମସ୍ୟାର ସମାଧାନ କରିବା ଓ ସୀମାବର୍ତ୍ତୀ ଅଂଚଳରେ ଶାନ୍ତି ପ୍ରତିଷ୍ଠା ଜାରି ରଖିବା ଲାଗି ସହମତି ହୋଇଥିଲା। ଏହା ପରେ ବୟାନରେ କୁହାଯାଇଥିଲା ଯେ, ଉଭୟ ଦେଶର ନେତାଙ୍କ ମଧ୍ୟରେ ଯେଉଁ ସହମତି ହୋଇଛି, ଏହାକୁ ସମ୍ମାନର ସହିତ ଲାଗୁ କରାଯାଇଛି, ଯେଉଁଥିରେ କି ସୈନ୍ୟମାନଙ୍କୁ ସଂଯମତା ରକ୍ଷା କରିବାକୁ ହେବ।