୧୪୩ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ଟାଉନ୍ ଥାନା ପୁଲିସ ଦ୍ୱାରା ୧୪୩ କିଲୋ ଗଞ୍ଜେଇ ସହ ଗୋଟିଏ କାର୍ ଜବତ କରାଯାଇଥିବାବେଳେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଡିଏଲ୍-୬ସିଜେ-୪୪୪୮ ନମ୍ବର ଥିବା ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ଜୟପୁର ଟାଉନ୍ ଥାନା ପୁଲିସକୁ ମିଳିଥିଲା। ସବ-ଇନସପେକ୍ଟର ଆର କିଣ୍ଡୋ ସହିତ କନେଷ୍ଟବଳ କାରକୁ ସତିଗୁଡା ଡ୍ୟାମ୍ ଛକରେ ଅଟକାଇଥିଲେ।

ସେଠାରେ କାରଟିକୁ ଯାଞ୍ଚ କରିବା ପରେ ସେଥିରେ ୬ଟି ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା। ଏହାର ଓଜନ ୧୪୩ କିଲୋ। ଏଥିସହିତ ପୁଲିସ କାରରେ ଥିବା ୟୁପିର ଫରିଦାବାଦ ଜିଲ୍ଲା କଲ୍ୟାଣ ନଗରର ଦୀପକ ସିଂହ୍(୨୭), ନୂଆଦିଲ୍ଲୀ ଓଖଲା ଥାନା ଅଞ୍ଚଳର ରାଜୁ ରବି ଦାସ(୨୦) ଓ ହରିୟାଣାର ଫରିଦାବାଦ୍ ଜିଲ୍ଲା ପଦମ୍ ନଗରର ବବଲୁ ଚୌହାନ(୨୪)କୁ ଗିରଫ କରିଛି। ପୁଲିସ୍ ଗିରଫ ଅଭିଯୁକ୍ତମାନଙ୍କଠାରୁ ୧୪୩ କିଲୋ ଗଞ୍ଜେଇ, କାର, ଏକ ଲାପଟପ ଓ ନଗଦ ୧୯୦୦ ଟଙ୍କା ଜବତ କରିଛି।