ରେଳବାଇ ଚାକିରି ନାଁରେ ୧୪ ଲକ୍ଷ ଠକେଇ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରେଳବାଇରେ ଚାକିରି କରାଇ ଦେବା ନାଁରେ ବ୍ରଜରାଜନଗର ଚିଚିଣ୍ଡା ଗ୍ରାମର ମାନସ ରଞ୍ଜନ ପଟେଲଙ୍କଠାରୁ ୧୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଝାରସୁଗୁଡ଼ା ପୁଲିସ ୩ ଭାଇ ଭଉଣୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝରଣା ବାଦୀ(୩୨), ରାଜେଶ ବାଦୀ(୩୦), ରାଜକୁମାରୀ ବାଦୀ (୧୯)। ଉକ୍ତ ଅଭିଯୁକ୍ତଙ୍କଠାରୁ ପୁଲିସ ୧୨ ଲକ୍ଷ ୯୬ ହଜାର ଟଙ୍କା, ଏକ ଇଣ୍ଡିଗୋ କାର, ଏକ ଲାପଟପ୍, ୩ଟି ମୋବାଇଲ, ଲେମିନେସନ ମସିନ, ନକଲି ଭୋଟର ଓ ଆଧାର କାର୍ଡ ଜବତ କରିଥିବା ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ଗତ ୧୭ ତାରିଖରେ ଅଭିଯୁକ୍ତମାନେ ରଞ୍ଜନଙ୍କୁ ଫୋନ କରି ୧୪ ଲକ୍ଷ ଟଙ୍କା ଦେଲେ ରେଳବାଇରେ ଚାକିରି କରାଇଦେବୁ ବୋଲି କହିଥିଲେ। ରଞ୍ଜନ ଅଭିଯୁକ୍ତଙ୍କ କଥାକୁ ବିଶ୍ୱାସ କରି ଏକ ବ୍ୟାଗରେ ୧୪ ଲକ୍ଷ ଟଙ୍କା ନେଇ ଝାରସୁଗୁଡ଼ାସ୍ଥିତ ଏକ ଘରୋଇ ହୋଟେଲକୁ ଆସିଥିଲେ। ସେଠାରୁ ଅଭିଯୁକ୍ତମାନେ ରଞ୍ଜନଙ୍କୁ ରୁମ ନମ୍ବର ୨୧୨କୁ ନେଇ ତାଙ୍କଠାରୁ ଟଙ୍କା ନେବା ସହ ଚାକିରି ହୋଇଯିବ ବୋଲି କହିଥିଲେ। ହେଲେ ଟଙ୍କା ନେବା ପରେ ରଞ୍ଜନଙ୍କୁ ଚାକିରି ନଦେବାରୁ ସେ ଠକେଇର ଶିକାର ହୋଇଥିବା ଜାଣିପାରି ଝାରସୁଗୁଡ଼ା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ପୁଲିସ ଏନେଇ ଏକ ମାମାଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।