ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ହରିଜନ ଆଦିବାସୀ ଉନ୍ନୟନ ଟ୍ରଷ୍ଟ ଓ ଆମ୍ବେଦକର ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ଭାରତର ବିଶିଷ୍ଟ ଜନନାୟକ ତଥା ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମ ପବିତ୍ର ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜକ କ୍ଲବ୍ ସଦସ୍ୟ ମାନେ ସ୍ଥାନୀୟ ଆରସିଏମଏସ ସାହି ସ୍ଥିତ କ୍ଲବ୍ ପରିସରରେ ଡ଼ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାପରେ ଆମ୍ବେଦକରଙ୍କ ଫଟୋଚିତ୍ରକୁ ଏକ ସୁସଜ୍ଜିତ ଗାଡିରେ ରଖି ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ।

ପରେ ପୂର୍ବାହ୍ଣରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ କ୍ଲବର ସଭାପତି ପ୍ରଦୀପ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ହରିଜନ ଆଦିବାସୀ ଉନ୍ନୟନ ଟ୍ରଷ୍ଟର ସମ୍ପାଦକ ଡ଼ ଉଇଲିୟମ ହେନେଜ, ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ସୁଧୀର କପରଦାର, ଜିଲ୍ଲା ଓକିଲ ସଙ୍ଘ ପୂର୍ବତନ ସଭାପତି ଦିଲ୍ଲୀପ କୁମାର ଗୁରୁ, ବରିଷ୍ଠ ଆଇନଜୀବୀ ସୁଧାଂଶୁ ଦ୍ୱିବେଦୀ, ବରିଷ୍ଠ ନାଗରିକ ମାର୍କଣ୍ଡେଶ୍ୱର ଶତପଥୀ ପ୍ରମୁଖ ମଞ୍ଚାସୀନ ରହି ଡ଼ ଆମ୍ବେଦକରଙ୍କ ସ୍ମୁତି ଚାରଣ କରିଥିଲେ। ମଞ୍ଚାସୀନ ବକ୍ତା ମାନେ ଉପସ୍ଥିତ ଜନସାଧାରଣଙ୍କୁ ଶିକ୍ଷିତ ହେବା ସହ ଦେଶର ସମ୍ବିଧାନ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅବସର ପ୍ରାପ୍ତ ପୁଲିସ କର୍ମଚାରୀ ନିରାକାର ପ୍ରଧାନ, ରମେଶ ମୁଖି, ଅଶ୍ୱିନୀ ସାଗର, ସରସ୍ୱତୀ ପାତ୍ର, ସୌଭାଗ୍ୟ ପାତ୍ର ଓ ରାଘବ ସୂରିୟା ପ୍ରମୁଖଙ୍କୁ ହରିଜନ ଆଦିବାସୀ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ଆୟୋଜକଙ୍କ ପକ୍ଷରୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।