ଅଜଣା ଜ୍ୱର ନେଲାଣି ୧୩ ଶିଶୁଙ୍କ ଜୀବନ

ସିଲିଗୁଡି,ଏଜେନ୍ସି: କରୋନା ପରେ ଏବେ ଅଜଣା ଜ୍ୱରର ଆତଙ୍କ ଜାରି ରହିଛି। ଏହି ଜ୍ୱରରେ ଛୋଟ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଉତ୍ତର ବଙ୍ଗରେ ଅଜଣା ଜ୍ୱର ଆତଙ୍କ ସୃଷ୍ଟି ହୋଇଛି। ଏହି ଜ୍ୱରରେ ଉତ୍ତର ବଙ୍ଗର ୪ଟି ଜିଲ୍ଲାରେ ମୋଟ ୧୩ ଜଣ ଶିଶୁ ପ୍ରାଣ ହରାଇସାରିଲେଣି।

କେବଳ ମାଳଦାରେ ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ସେପଟେ ମାଳଦା ମେଡିକାଲ ହସ୍ପିଟାଲରେ ବେଡ୍ ଅଭାବ ଯୋଗୁଁ ଗୋଟିଏ ବେଡରେ ହିଁ ୩ ଜଣ ଲେଖାଏଁ ଶିଶୁଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପିଲାଙ୍କୁ ଜ୍ୱର ହେବା ସହ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି। ଆରଏସ ଭାଇରସରେ ଶିଶୁମାନେ ସଂକ୍ରମିତ ହେଉଥିବା ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

ଏହାସହିତ ସିଲିଗୁଡି ସମେତ ବିଭିନ୍ନ ଜିଲ୍ଲାରେ ହସ୍ପିଟାଲଗୁଡିକରେ ଜ୍ୱରରେ ପୀଡିତ ପିଲାଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଗୁରୁତର ଅବସ୍ଥା ନହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ନାହିଁ। ସେପଟେ ସରକାରୀ ଡାକ୍ତରଖାନା ଓ ନର୍ସିଂହୋମରେ ମଧ୍ୟ ଭିଡ ଜମିଛି। ମାଲଦା ମେଡିକାଲ କଲେଜ ହସ୍ପିଟାଲରେ ପିଲାମାନଙ୍କ ପାଇଁ ୧୨୦ଟି ଶଯ୍ୟା ରହିଛି, ହେଲେ ହାରାହାରି ୫୦ରୁ ୬୦ ପିଲା ପ୍ରତିଦିନ ଭର୍ତ୍ତି ହେଉଛନ୍ତି। ଯାହା ଫଳରେ ଗୋଟିଏ ଶଯ୍ୟାରେ ଏକରୁ ଅଧିକ ଶିଶୁ ଚିକିତ୍ସିତ ହେଉଛନ୍ତି।