ବିଚାରଧୀନ କଏଦୀର ଆତ୍ମହତ୍ୟା ଉଦ୍ୟମ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ମଣ୍ଡଳ କାରାଗାରରେ ବୁଧବାର ପୂର୍ବାହ୍ନରେ  ବିକାଶ ପାତ୍ର ନାମକ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜୟପୁରର ବିକାଶ ପାତ୍ର  ଚୋରା ଗଞ୍ଜେଇ ଚାଲାଣବେଳେ ଧରାପଡ଼ି କୋରାପୁଟ ଜେଲରେ  ରହିଛନ୍ତି। ଜାମୀନ ମିଳୁନଥିବାରୁ  ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବୁଧବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାମିନ ଆବେଦନର ଶୁଣାଣୀ ଚାଲିଥିବାବେଳେ  ବିଚାରପତି  ବିକାଶର ଜାମୀନ ନାମଞ୍ଜୁର କରିବା ସହ ଏହା କେବଳ ଉଚ୍ଚ ନ୍ୟାୟାଳୟର କ୍ଷମତା ଭିତରେ ଥିବା ଦର୍ଶାଇବାରୁ ସେ ପକେଟରେ ରଖିଥିବା ଏକ ଛୁରାରେ ନିଜ ବେକ କାଟି ଦେଇଥିଲେ। ବିକାଶକୁ ତୁରନ୍ତ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ନିଆଯାଇଥିଲା। ବର୍ତ୍ତମାନ ବିକାଶର ଅବସ୍ଥା ସ୍ୱାଭାବିକ ଥିବା ଜେଲର ଗଗନ ସାହୁ ସୂଚନା ଦେଇଛନ୍ତି।