୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିି ଗତ କିଛିଦିନ ହେବ ଚୋରା ଗଞ୍ଜେଇ ଧରିବାରେ ସଫଳତା ହାସଲ କରିଛି। ଏଭଳି ସ୍ଥିତିରେ ଆଜି ପୁଣି ନନ୍ଦପୁର ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ରଙ୍କ ଉପସ୍ଥିତିରେ ଜିଲ୍ଲାର ପାଡୁଆ ଥାନା ଅନ୍ତର୍ଗତ ଗନ୍ଦିଶିକାରପୁଟ ଓ ବୁଡିଂ ଅଂଚଳରେ ଚଢ଼ଉ କରି ୧୦୨ ଏକର ଜମିରେ କରାଯାଇଥିବା ୧ଲକ୍ଷ ୨୨ ହଜାର ୪୦୦ ଗଞ୍ଜେଇ ଗଛ କାଟି ପୋଡ଼ି ଦେଇଛନ୍ତି। ବୁଡିଂ ଓ ଗନ୍ଧିଶିକାରପୁଟ ଅଂଚଳରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଉଥିବା ସୂଚନା ମିଳିବା ପରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଏସପି ବରୁଣ ଗୁଂଟୁପାଲ୍ଲିଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ ତତ୍ତ୍ୱାବଧାନରେ ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର, କୋରାପୁଟ ଅବକାରୀ ନିରୀକ୍ଷକ ତେଜରାଜ ଯାନୀଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଗଞ୍ଜେଇ ଗଛ କାଟି ପୋଡ଼ି ଦିଆଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୨ କୋଟି ୨୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।