ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ୧୨ ଦଫା ଦାବିପତ୍ର ପ୍ରଦାନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଥିବା ବେଳେ ଜିଲ୍ଲାର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମସ୍ୟା ଲାଗି ରହିଛି। ଏନେଇ ଆଜି ପୂର୍ବାହ୍ଣରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ ପଦାଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ୧୨ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଦାବିପତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି, ପ୍ରସ୍ତାବିତ ନୂତନ ଡାକ୍ତରଖାନା କୋଠାକୁ ସହର ମଧ୍ୟରେ ଥିବା ସରକାରୀ ଜମିରେ ନିର୍ମାଣ, ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ, ଡାକ୍ତରଖାନାରେ ଥିବା ପରୀକ୍ଷାଗାର ଓ ଏକ୍ସରେକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ, ଆଉଟ ସୋରସିଂ ମାଧ୍ୟମରେ ନିଯୁକ୍ତି କରାଯାଉଥିବା ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ସ୍ଥାନୀୟ ଯୁବକଙ୍କୁ ଅଗ୍ରାଧିକାର, ଡାକ୍ତରଖାନା ପରିସରରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ଭୋଜନାଳୟ, ଏଟିଏମ କାଉଣ୍ଟର ଓ ମହିଳା ଆଟେଣ୍ଡାଣ୍ଟଙ୍କ ରହଣି ପାଇଁ କୋଠରି ନିର୍ମାଣ ଆଦି ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।

ଏହି ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ଏସସି ସେଲ ମଞ୍ଜୁଳ ନାୟକ, ନଗର କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ, ବରିଷ୍ଠ କଂଗ୍ରେସ ସଭାପତି ନେତା କ୍ଷିତୀଶ କୁମାର ପ୍ରଧାନ ଓ ପଞ୍ଚୁ ଲାଲ ବରାଇ ପ୍ରମୁଖ ଉପସ୍ଥିତ ଥିଲେ।