ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ପୁଣି ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀର ସହରର ଜଣେ ଆକ୍ରାନ୍ତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ୧୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୬ ଜଣ ଟିଟିଲାଗଡ଼ ବ୍ଲକର ହୋଇଥିବାବେଳେ ୨ଜଣ ବେଲପଡ଼ା ବ୍ଲକର, ଦେଓଗାଁ, ସଇଁନ୍ତଲା, ପାଟଣାଗଡ଼ ଓ ବଲାଙ୍ଗିର ସହରରୁ ଜଣେ ଲେଖାଏଁ ରହିଛନ୍ତି। ଟିଟିଲାଗଡ଼ ବ୍ଲକରୁ ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ୪ଜଣ ପରାସର ପଂଚାୟତର ହୋଇଥିବା ବେଳେ ଏମାନେ ସମସ୍ତେ ଚେନ୍ନାଇ ଓ ରାୟପୁର ଫେରନ୍ତା। ସମସ୍ତେ ପ୍ରଥମେ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ର ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ। ଟିଟିଲାଗଡ଼ ବ୍ଲକର ଆଉ ଦୁଇଜଣ ସମିଆପଦା ଓ ସିହିନ ପଂଚାୟତରୁ ହୋଇଥିବାବେଳେ ସେମାନେ ଚେନ୍ନାଇ ଓ ମୁମ୍ବାଇରୁ ଫେରିଛନ୍ତି । ଏମାନେ ମଧ୍ୟ ପ୍ରଥମେ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ର ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ। ବେଲପଡ଼ା ବ୍ଲକରୁ ଚିହ୍ନଟ ହୋଇଥିବା ଦୁଇଜଣ ଯାକ ସଲଣ୍ଡି ପଂଚାୟତର ଓ ଉଭୟ ତେଲେଙ୍ଗାନା ଫେରନ୍ତା। ଏମାନେ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। ପାଟଣାଗଡ଼ ସହରରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ତେଲେଙ୍ଗାନାରୁ ଫେରି କ୍ୱାରେଣ୍ଟାଇନରେ ଥିଲେ। ଦେଓଗାଁ ବ୍ଲକ କୁମୁରିଆ ପଂଚାୟତରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା ହୋଇଥିବାବେଳେ ସେ ମଧ୍ୟ କ୍ୱାରେଣ୍ଟାଇନରେ ଥିଲେ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧ରେ ପହଂଚିଥିବା ବେଳେ ୯୯ ଜଣ ସୁସ୍ଥ ହୋଇଛନ୍ତି। ଆଉ ୪୨ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।