ଦେବଗଡ଼,ଏନ୍ଏନ୍ଏସ୍: ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ପୁଲିସ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଭର୍ତ୍ତି ହୋଇଥିବା ୨ଟି ଯାନ ଆଜି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ଆଜି ପୂର୍ବାହ୍ଣରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଏସ୍ପି ରାଜକିଶୋର ପାଇକରାୟ ଯୋଗଦେଇ ସବୁଜ ପତାକା ଦେଖାଇ ଦେବଗଡ଼ ଆଦର୍ଶ ଥାନା ଓ ବାରକୋଟ ଥାନା ପାଇଁ ଦୁଇଟି ଏମରଜେନ୍ସି ରେସପନ୍ସ ସିଷ୍ଟମ ଯାନର ଶୁଭାରମ୍ଭ କରିଥିଲେ।
୧୧୨ ନମ୍ବର ଡାଏଲ କରି ଯେ କୌଣସି ଜରୁରୀ ପରିସ୍ଥିତି ପାଇଁ ଜନସାଧାରଣ ପୁଲିସ ସହାୟତା ଲୋଡିଲେ ସ୍ୱତନ୍ତ୍ର ଟିମ ଉକ୍ତ ସ୍ଥାନରେ ପହଞ୍ଚି ପୁଲିସ ସେବା ଯୋଗାଇବ ବୋଲି ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଆଇବି ଡିଏସପି ପ୍ରଦୀପ କେରକେଟ୍ଟା, ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।