ଦେବଗଡ଼,ଏନ୍ଏନ୍ଏସ୍: ଅଲ୍ ଓଡ଼ିଶା ଅଙ୍ଗନବାଡି ମହିଳା କର୍ମୀ ସଂଗଠନ ଦେବଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆଜି ୧୪ ଦଫା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋପାଳ ଜିଉ ମନ୍ଦିର ସମ୍ମୁଖରୁ ଆସୋସିଏସନର ଜିଲ୍ଲା ସଭାନେତ୍ରୀ ମଞ୍ଜୁବାଳା ଜେନା ଓ ସମ୍ପାଦିକା ନଳିନୀ ନନ୍ଦଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କର୍ତ୍ତବ୍ୟରତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ବିଭିନ୍ନ ସ୍ଲୋଗାନ ସହ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଙ୍ଗନବାଡି କର୍ମୀଙ୍କ ଦରମା ମାସିକ ୨୧ ହଜାର ଓ ସହାୟିକାଙ୍କୁ ୧୫ ହଜାର ପ୍ରଦାନ ସହ ମାସିକ ୫ ହଜାର ଟଙ୍କା ପେନ୍ସନ୍, ଆନ୍ଦୋଳନ ବେଳେ ବହିସ୍କୃତ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ସମେତ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।