ଚୋରା ଓ ନକଲି ମଦ ବିକ୍ରିର ପେଣ୍ଠସ୍ଥଳୀ ପାଲଟିଛି ବାରିଆ ଥାନାଞ୍ଚଳ

ପାଟଣା,ଏନ୍ଏନ୍ଏସ୍: ବାରିଆ ଥାନା ଅଞ୍ଚଳରେ ଉଭୟ ପୁଲିସ ଓ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ ନକଲି ମଦ କାରବାର ସହ ମହୁଲି ମଦର କୁଟୀର ଶିଳ୍ପ ଗଢ଼ି ଉଠିଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ବର୍ଦ୍ଧନା ପାରୁଡ଼ିପଶି ଜ୍ୟୋତିପୁର ଅଞ୍ଚଳରେ ଏବେ ବେଧଡ଼କ ଭାବରେ ଚୋରା ମହୁଲି ସାଙ୍ଗକୁ ନକଲି ମଦର କାରବାର ବଢ଼ି ଚାଲିଛି। ପାନ ଦୋକାନଠୁ ଆରମ୍ଭ କରି ଗ୍ରୋସରୀ ଦୋକାନରେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ହାତ ପାହନ୍ତାରେ ମଦ ବିକ୍ରି ହେଉଥିବାରୁ ଯୁବପୀଢ଼ୀ ନକଲି ମଦ ପିଇ ପଥଭ୍ରଷ୍ଟ ହେବା ସହ ନାନାଦି ରୋଗରେ ପୀଡ଼ିତ ହେଉଛନ୍ତି। ଦୀର୍ଘ ଦିନରୁ ଏ ଅଞ୍ଚଳରେ ଚାଲିଥିବା ବେଆଇନ ମଦ କାରବାର ଉପରେ ବାରିଆ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସହ ମାସିକିଆ ଚାନ୍ଦା ଆଦାୟରେ ବାରିଆ ପୁଲିସ ବ୍ୟସ୍ତ ରହୁଥିବା ବୁଦ୍ଧିଜୀବୀ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ ଏହି ଗାଁ ଗୁଡ଼ିକରେ ଦୀର୍ଘ ଦିନରୁ ଚାଲିଥିବା ମଦ ବେପାରକୁ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ବାରିଆ ଥାନାକୁ ଜଣାଇଥିଲେ ହେଁ ପୁଲିସ ଲୋକଙ୍କ ଅଭିଯୋଗକୁ କର୍ଣ୍ଣପାତ ନକରି ମାସିକିଆ ଚାନ୍ଦା ନେଇ ନକଲି ମଦ କାରବାରକୁ ପ୍ରୋତ୍ସାହନ ଯୋଗାଉଛି। ସେଥିଲାଗି ଆଗାମୀ ଦିନରେ ଏ ଅଞ୍ଚଳରେ ମଦ କାରବାର ବନ୍ଦ ନକଲେ ଲୋକ ପ୍ରତିନିଧିମାନେ ଅଞ୍ଚଳବାସୀଙ୍କ ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି।