ଦେବଗଡ଼,ଏନ୍ଏନ୍ଏସ୍: ଦୁର୍ଗମ ଅପହଞ୍ଚ ଇଲାକାରୁ ୪ ଜଣ ରୋଗୀଙ୍କୁ ଷ୍ଟେଚରରେ ଏବଂ କାନ୍ଧରେ ବୋହିଆଣି ମାନବିକତାର ପରିଚୟ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଆଜି ପୂର୍ବାହ୍ନରେ ୧୦୮ କଲ୍ ସେଣ୍ଟରରୁ ନିର୍ଦ୍ଦେଶ ପାଇ ଫାର୍ମାସିଷ୍ଟ କେଦାର ସାହୁ, ଚାଳକ ଗୌତମ ପ୍ରଧାନ ଓ ସହାୟକ ବାଦଲ ସାହୁ ବାରକୋଟ ବ୍ଲକ୍ର ବମ୍ପରଡା ଗ୍ରାମ ପଞ୍ଚାୟତର କଲାଡୁ ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ନେଇ ବାହାରିଥିଲେ।
କଲାଡୁ ଗ୍ରାମର ଟିଲା ପ୍ରଧାନଙ୍କ ପତ୍ନୀ ଶ୍ରୀମତୀ ପ୍ରଧାନ (୨୬ ବର୍ଷ), ତାଙ୍କ ୯ ବର୍ଷର ଝିଅ ଅଞ୍ଜନା ପ୍ରଧାନ, ୩ ବର୍ଷର ପୁଅ ଦିପୁନ୍ ପ୍ରଧାନ ଏବଂ ୫ ମାସର ଶିଶୁପୁତ୍ର ଆଶିଷ ପ୍ରଧାନ ସମସ୍ତେ ଜ୍ୱରରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ ଦୁର୍ବଳ ଥିଲେ। କିନ୍ତୁ ରାସ୍ତା ନଥିବାରୁ ଗ୍ରାମଠାରୁ ୪ କିମି ପାହାଡ଼ ନିକଟରେ ଆମ୍ବୁଲାନ୍ସ ଅଟକି ରହିଥିଲା। ସେଠାରେ କୋଣସି ମୋବାଇଲ ନେଟୱର୍କ ନଥିବାରୁ କଲ୍ କରିଥିବା ଟିଲା ପ୍ରଧାନଙ୍କ ସହିତ ଯୋଗାଯୋଗ କରିବା ଅସମ୍ଭବ ହୋଇଥିଲା।
ସୌଭାଗ୍ୟବଶତଃ କଲାଡୁ ଗ୍ରାମର ଜଣେ ଯୁବକଙ୍କ ସହାୟତାରେ ପାହାଡ଼ ଏବଂ ଘାଟି ଅତିକ୍ରମ କରି ୪ ଜଣ ରୋଗୀଙ୍କୁ ଷ୍ଟେଚର ଏବଂ କାନ୍ଧରେ ବୋହି ବହୁ କଷ୍ଟରେ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ତାପରେ ଅପରାହ୍ଣ ୪ଟାରେ ବାରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମହତ କର୍ମ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।