ଫୁଲବାଣୀ,ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ପୁଲିସ ପ୍ରେସ୍ ଲେଖାଥିବା ଏକ କାର୍ ସହ ୧୦୨ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ସଦର ପୁଲିସ୍ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଉକ୍ତ ସୂଚନା ଅନୁସାରେ, ମଙ୍ଗଳବାର ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଗୋଛାପଡ଼ା ପୁଲିସ ସଲାଗୁଡା ନିକଟରେ ପ୍ରେସ ଲେଖା ହୋଇଥିବା ଏକ କାର୍ ଉପରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ କାର୍ ରୁ ୧୦୨ କେଜି ଗଞ୍ଜେଇ, ୧ ଲକ୍ଷ ୪୭ ହଜାର ଟଙ୍କା ଏବଂ ଏକ ଗଣମାଧ୍ୟମର ବୁମ୍ ମିଳିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ ଅଞ୍ଚଳର କ୍ରିଷ୍ଣା ଚୌହାନ, ଅର୍ଜୁନ ଯାଦବ, ପରମାନନ୍ଦ ଯାଦବ, ଷ୍ଟିଫାନ ଟିଗ ଏବଂ ସଲାଗୁଡାର ଆଦାମ ଦିଗାଲ। ସେମାନେ ଗୋଛାପଡ଼ାରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଦେଇ ଛତିଶଗଡକୁ ଗଞ୍ଜେଇ ଚାଲାଣ କରୁଥିଲେ। ଏନେଇ ଗୋଛାପଡା ଥାନାରେ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।