କରୋନା ମୃତ୍ୟୁହାର ହ୍ରାସ ଲାଗି ପ୍ରଫେସରଙ୍କୁ ନେଇ ଟେକ୍ନିକାଲ କମିଟି ଗଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିଚାଲିଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯଦିଓ ରାଜ୍ୟରେ ମୃତ୍ୟୁ ହାର କମ୍ ରହିଛି, ତଥାପି ମୃତ୍ୟୁ ସଂଖ୍ୟାକୁ ଆହୁରି କମାଇବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ରାଜ୍ୟରେ କରୋନା ମୃତ୍ୟୁହାର କମାଇବା ଓ କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଲାଗି ରାଜ୍ୟ ସରକାର ୭ଟି ଟେକ୍ନିକାଲ କମିଟି ଗଠନ କରିଛନ୍ତି। ରାଜ୍ୟର ୭ ସରକାରୀ ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଟେକ୍ନିକାଲ କମିଟି ଗଠନ କରାଯାଇଛି। ରାଜ୍ୟର ୭ଟି ସରକାରୀ ମେଡିକାଲ କଲେଜ ମଧ୍ୟରେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲା ଭୀମସାର, ବଲାଙ୍ଗିର ବିବି ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ୍, ବାରିପଦା ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ ରହିଛି। ୭ ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଗଠିତ ୭ଟି କମିଟିକୁ ଭାଗ ଭାଗ କରି ୩୦ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ଦ୍ୱାରା ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଗଠନ କରାଯାଇଥିବା ୭ଟି ଟେକ୍ନିକାଲ କମିଟି ୩୦ଜିଲ୍ଲା ଗସ୍ତକରି କୋଭିଡ କେୟାର ହସ୍ପିଟାଲ ଓ ହେଲ୍ଥ ସେଣ୍ଟର ପରିଭ୍ରମଣ କରିବେ। ସେଠାରେ ଉତ୍ତମ ଚିକିତ୍ସା ନେଇ ସ୍ଥିତି ଅନୁଧ୍ୟାନ କରି ମୃତ୍ୟୁହାର କମାଇବା ଉପରେ ପରାମର୍ଶ ଦେବେ।