ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଇଲା ଖନନ ପାଇଁ ଏମସିଏଲ ପକ୍ଷରୁ ବିସ୍ଥାପିତ ହୋଇଥିବା ଝାରସୁଗୁଡ଼ା ଜିଲ୍ଲାର ଗ୍ରାମବାସୀଙ୍କୁ ଥଇଥାନ କରିବା ପାଇଁ ଏମସିଏଲ ପକ୍ଷରୁ ଶହେ ଏକର ଜମି ଚିହ୍ନଟ କରାଯାଇଛି। ଏମସିଏଲ ଦ୍ୱାରା ବିସ୍ଥାପିତ ହୋଇଥିବା ଜୁରାବଗା, ଖଡ଼ିଆପଡ଼ା, ଉବୁଡ଼ା, କୁସରାଲୋଇ, ଟିଙ୍ଗସମାଲ ଗ୍ରାମବାସୀଙ୍କୁ ଲଖନପୁର ବ୍ଲକ୍ ତଥା ବେଲପାହାଡ଼ ଉପକଣ୍ଠ ବଞ୍ଜାରୀ ପଞ୍ଚାୟତ ଚାଉଁରିମହୁଲ ଠାରେ ଥଇଥାନ କରାଯିବ। ଏହି ୫ଟି ଖଣି ପ୍ରଭାବିତ ଗ୍ରାମକୁ ଥଇଥାନ କରିବା ପାଇଁ ଏମସିଏଲ ଜିଲ୍ଲା ପ୍ରଶାସନ ନିକଟରେ ୨ ଶହ ଏକର ଜମି ଅବେଦନ କରିଥିଲା।
ରାଜସ୍ୱ ବିଭାଗ ପକ୍ଷରୁ ଚାଉଁରି ମହୁଲରେ ୧ ଶହ ୮୫ ଡିସମିଲ ଜମି ଚିହ୍ନଟ କରାଯାଇଛି। ଏଠାରେ ଗ୍ରାମବାସୀଙ୍କ ପାଇଁ ସ୍କୁଲ, ଡିସପେନସାରି ସମେତ ଅନୁସାଙ୍ଗିକ ସୁବିଧା ଯୋଗାଇ ଦିଆଯିବ ବୋଲି ଏମସିଏଲ ପକ୍ଷରୁ କୁହାଯାଇଛି। ଏହି ଜମି ଚିହ୍ନଟ ତଦାରଖ କରିବାକୁ ଉପ ଜିଲ୍ଲାପାଳ ଶିବ ଟପ୍ପୋ, ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ, ବେଲପାହାଡ଼ ଥାନା ଅଧିକାରୀ ରଞ୍ଜନ ବିଶ୍ୱାଳ, ଲଖନପୁର ଥାନା ଅଧିକାରୀ ଦୁଃଖୀନ୍ଦ୍ର ସାହୁ ସମେତ ୨ ପ୍ଲାଟୁନ ଫୋର୍ସ, ରାଜସ୍ୱ ବିଭାଗର କର୍ମଚାରୀ ସମେତ ଏମସିଏଲର ଅଧିକାରୀମାନେ ଉପସ୍ଥିତ ଥିଲେ।