ଭୋଜି ଭାତର ଆସର କରିବା ପଡିଲା ମହଙ୍ଗା, ୧ ଲକ୍ଷ ଟଙ୍କା ଜୋରିମାନା ଦେଲେ ବରପିତା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କମଳାବଗିଚା ଗ୍ରାମରେ କୋଭିଡ ନିୟମ ଉଲ୍ଲଂଘନ କରି ୧ଲକ୍ଷ ଟଙ୍କା ଜୋରିମାନା ଦେଇଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ କମଳା ବଗିଚା ଗ୍ରାମର କୁଲାନ ଟପ୍ନୋଙ୍କ ପୁଅ ଅମିତ ଟପ୍ନୋର ବିବାହ ରାଉରକେଲାରେ ହୋଇଥିଲା। ଆଜି ମଧ୍ୟାହ୍ନରେ ଗ୍ରାମରେ କୋଭିଡ ନିୟମ ଉଲ୍ଲଂଘନ କରି ବିବାହ ଭୋଜି ଆୟୋଜନ କରିଥିଲେ। ଏହି ଭୋଜିରେ ଜାତି ସମାଜର ୫ ଶହରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ।

କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାରପାତ୍ର, ସବଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ର ଓ ବୁଦ୍ଧରାଏ ମାଝୀ ପ୍ରମୁଖ ମାଜିଷ୍ଟ୍ରେଟ ଭାବେ ଦେବଗଡ଼ ତହସିଲଦାର ପଲ୍ଲଭି ନାଏକଙ୍କ ଉପସ୍ଥିତିରେ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ବରପିତା କୁଲାନ ଟପ୍ନୋଙ୍କୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୧ ଲକ୍ଷ ଟଙ୍କା ଜୋରିମାନା କରିଥିଲେ।

କୁଲାନ ଜୋରିମାନା ଅର୍ଥ ଦେବାରୁ ତାଙ୍କ ନାମରେ ଆଉ କୌଣସି ମାମଲା ରୁଜୁ କରାଯାଇନଥିବା ଦେବଗଡ ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ତେବେ କୋଭିଡ ନିୟମ ଉଲ୍ଲଂଘନ କରି ଜଣେ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହେବା ଜିଲ୍ଲାରେ ପ୍ରଥମ ଘଟଣା ବୋଲି ଜଣାପଡ଼ିଛି।