ସମଲେଶ୍ୱରୀ ଏକ୍ସପ୍ରେସ-ଟାୱାର କାର ଦୁର୍ଘଟଣା ଘଟଣାରେ ୨ ବହିଷ୍କୃତ, ଜଣେ ନିଲମ୍ବିତ

ରାୟଗଡ଼ା,ଏନ୍ଏନ୍ଏସ୍: ୨୦୧୯ ଜୁନ ୨୫ ତାରିଖ ଦିନ ସିଙ୍ଗାପୁର ରୋଡ ଏବଂ କେଉଟଗୁଡ଼ା ଷ୍ଟେସନ ନିକଟରେ ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଏକ ଟାୱାର କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଟାୱାର କାରରେ ଥିବା ୭ ଜଣ ରେଳ କର୍ମଚାରୀମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ସମଲେଶ୍ୱରୀ ଟ୍ରେନର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭର ଦୁର୍ଘଟଣା ହେବା ପୂର୍ବରୁ ଟ୍ରେନରୁ ଡେଇଁ ପଡିବା ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଥିଲେ।

ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କୋଲକାତାସ୍ଥିତ ବେସାମରିକ ବିଭାଗର ନିରାପତ୍ତା ଆୟୁକ୍ତ ଆରକେ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ ସେହି ମାସ ୨୮ ତାରିଖରେ ରାୟଗଡ଼ା ପହଞ୍ଚି ତଦନ୍ତ କରିଥିଲେ। ପରବର୍ତ୍ତୀ ମୁହୁର୍ତ୍ତରେ ବିଶାଖାପାଟଣା ଡିଭିଜନର ଅତିରକ୍ତ ଡିଆରଏମ ଅକ୍ଷୟ କୁମାର ସକସେନାଙ୍କ ନେତୃତ୍ୱରେ ୮ ଜଣିଆ ଟିମ ସିଙ୍ଗାପୁର ରୋଡ ଷ୍ଟେସନ, ଦୁର୍ଘଟଣାସ୍ଥଳ ଏବଂ କେଉଟଗୁଡ଼ା ଷ୍ଟେସନକୁ ଯାଇ ତଦନ୍ତ କରିଥିଲେ। ଏହାପରେ ପୁଣି ଥରେ କୋଲକାତା ସ୍ଥିତ ବେସାମରିକ ବିଭାଗର ନିରାପତ୍ତା ଆୟୁକ୍ତ ଆରକେ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଟ୍ରାଫିକ ଅଫିସର ବିକେ ପାଢ଼ୀ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନରେ ରାୟଗଡ଼ାରେ ପହଞ୍ଚି ସ୍ଥାନୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ବୟାନ ରେକଡ଼ କରିଥିଲେ।

ତେବେ କେଉଟଗୁଡ଼ା ଷ୍ଟେସନ ମାଷ୍ଟର ସଞ୍ଜୟ ଟୋପ୍ପୋ, କେବିନ-ଏ ଷ୍ଟେସନ ପରିଚାଳକ କେ. ପ୍ରକାଶଙ୍କ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ନିରାପତ୍ତା ଆୟୁକ୍ତ ରିପୋର୍ଟ ଦେଇଥିଲେ। ପରେ ରିପୋର୍ଟ ଆଧାରରେ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ବହିଷ୍କାର କରିବା ସହିତ ସେହିଦିନ କାର୍ଯ୍ୟରେ ଥିବା ଟେକ୍ନିସିୟନ ଇଶ୍ୱର ରାଓଙ୍କୁ ନିଲମ୍ବିତ କରିଛି ରେଳବିଭାଗ।