ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଶତପ୍ରତିଶତ କରୋନା ଟିକାକରଣକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ଦେଶରେ କରୋନା ଟିକାକରଣ ବଡ଼ ରେକର୍ଡ କରିଛି। ପ୍ରଥମ ଥର ଦେଶରେ ଗୋଟିଏ ଦିନରେ ଅଢ଼େଇ କୋଟି ଲୋକ କରୋନା ଟିକା ନେଇଛନ୍ତି। ଏମିତିରେ ବି ଦେଶରେ କରୋନା ଟିକାକରଣ ତୀବ୍ର ହୋଇଛି। କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ଅକ୍ଟୋବର ପ୍ରଥମ ସପ୍ତାହରେ ୧୦୦ କୋଟି ଲୋକଙ୍କୁ ଟିକା ଦିଆଯିବା ସରିଥିବ।

ଏବେ ସରକାର ଏହି ଦିଗରେ କାମ କରୁଛନ୍ତି ଯେ, ଯେଉଁ ରାଜ୍ୟ ଗୁଡ଼ିକରେ ଆଗାମୀ ଦିନରେ ନିର୍ବାଚନ ହେବାକୁ ଅଛି, ସେଠାରେ ଶତପ୍ରତିଶତ ଟିକାକରଣ କରଯିବ। ସୂଚନା‌ଯୋଗ୍ୟ, ଆଗାମୀ ଦିନରେ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ। କେନ୍ଦ୍ର ସରକାର ବିଶେଷ ଭାବରେ ଏସବୁ ରାଜ୍ୟଗୁଡ଼ିକରେ ଟିକାକରଣ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି।