ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଜଣେ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ଉପାୟରେ ବିଭିନ୍ନ ସଂଗଠନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଉଛି । କିନ୍ତୁ ଗତକାଲି ରାତିରେ ଜଣେ ଯୁବକକୁ ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବଗଡ଼ ପୌରାଞ୍ଚଳସ୍ଥିତ କଚେରୀ ସାହିର ରାକେଶ ସ୍ୱାଇଁ । ମିଳିଥିବା ରିପୋର୍ଟ ମୁତାବକ, ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବନ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପାହାଡ଼ ଉପରେ କେତେକ ସ୍ଥାନରେ ନିଆଁ ଲାଗୁଥିବା ଦେଖିଥିଲେ । ପରେ ସେଠାରେ ପହଞ୍ଚି ନିଆଁ ଲଗାଉଥିବା ଯୁବକଙ୍କୁ କାବୁ କରି ତା’ ନିକଟରୁ ଲାଇଟର ଓ ମାଚିଶ ଜବତ କରିଥିଲେ । ସେହିପରି ଅଭିଯୁକ୍ତ ଯୁବକକୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରିବା ସହ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ସଦର ଫରେଷ୍ଟର ଭୀମସେନ ଶତପଥୀ ସୂଚନା ଦେଇଛନ୍ତି ।